ଆମେ ଆଉ କିଛି ଦିନ ପରେ ୨୦୧୮ ମସିହାକୁ ବିଦାୟ ଦେଇ ଇଂରାଜୀ ନୂଆ ବର୍ଷ ୨୦୧୯ ମସିହାକୁ ସ୍ବାଗତ କରିବା | ଆପଣ ମାନେ ଜାଣନ୍ତି ଯେ ଆମୋଦ ପ୍ରମୋଦ ପ୍ରତ୍ୟେକ ମଣିଷର ଜୀବନକୁ ସରସ ସୁନ୍ଦର କରିଥାଏ | କ୍ଳାନ୍ତ ମନରେ ନୂଆ ଆଗ୍ରହ ଉଦ୍ଦୀପନା ଭରି ଦେବାରେ ସହାୟକ ହେବା ସହ ଜୀବନରେ ସମ୍ପର୍କକୁ ମଧୁରତର କରି ଅଭୁଲା ସ୍ମୃତିରେ ଭରି ଦେଇଥାଏ | ତେଣୁ ନୂଆବର୍ଷ ୨୦୧୯ ମସିହାର ଅବସରକୁ ସ୍ବାତନ୍ତ୍ର କରିବା ପାଇଁ ଆମ ସଭିଙ୍କ ମନରେ ଏବେ ଠାରୁ ଉସ୍ଛାହ ଭରିଗଲାଣି |ଆପଣମାନଙ୍କ ମଧ୍ୟରୁ ଅନେକ ଏଥିପାଇଁ ସାଙ୍ଗ ସାଥୀ, ପରିବାର, ପ୍ରିୟଜନଙ୍କ ସହ ମିଳି ମିଶି ଯୋଜନା ମଧ୍ୟ ପ୍ରସ୍ତୁତ କରୁଥିବେ ଯେ କିପରି ଆଗାମୀ ନୂଆ ବର୍ଷକୁ ଅଭୁଲନୀୟ କରିବେ | କେହି କେହି କ୍ଲବ ଯାଇ ନାଚ ଗୀତର ତାଳେ ତାଳେ ମସଗୁଲ ହେବାକୁ ଯୋଜନା କରୁଥିବେ ତ କେହି କେହି ବନ୍ଧୁ ପରିଜନଙ୍କ ସହ ଭୋଜି ବା ପାର୍ଟିର ଆୟୋଜନ କରିବାକୁ ହୁଏତ ମନରେ ସ୍ଥିର କରୁଥିବେ| ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ନୂଆ ବର୍ଷ ୨୦୧୯କୁ ମଧୁରତାରେ ଭରି ଦେବା ପାଇଁ ଆମ ଓଡିଶାର କେତୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି କରିବା ପାଇଁ ଉପଯୁକ୍ତ ସ୍ଥାନ ବିଷୟରେ ଆବଶ୍ୟକୀୟ ସୂଚାନା ଦେବାକୁ ଚାହିଁବୁ ଯାହା ଆପଣଙ୍କୁ ନିଜ ପସନ୍ଦ ଓ ସୁବିଧା ମୁତାବକ ପର୍ଯ୍ୟଟନ ସ୍ଥାନ ଚୟନ କରିବାରେ ନିଶ୍ଚୟ ସାହାଯ୍ୟ କରିବ| ସେଗୁଡିକ ହେଲା:-
ଡାର୍ଲିଙ୍ଗ: ଆମ ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର | ଏଠାକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଶିଳ୍ପ ନଗରୀ ରାଉରକେଲା ଠାରୁ ପ୍ରାୟ ୫୧ କି.ମି ଦୂରରେ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ “ଡାର୍ଲିଙ୍ଗ” ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ | ଏହା ଠାରୁ ୨ କି.ମି. ଦୂରରେ ଅବସ୍ଥିତ ଅନ୍ୟ ଏକ ସୁନ୍ଦର ସ୍ଥାନ ହଉଛି ଦେଓଧର ଗଣ୍ଡ | ପିକନିକ ପାଇଁ ଏହା ଏକ ମନୋରମ ସ୍ଥାନ|
ସପ୍ତଶଯ୍ୟା : ଢେଙ୍କାନାଳ ସହର ଠାରୁ ମାତ୍ର ୧୧ କି.ମି. ଦୂରରେ ପାହାଡ ଉପରେ ଅବସ୍ଥିତ ସପ୍ତଶଯ୍ୟା ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ ଯାହାର ଶାନ୍ତ ସୁନ୍ଦର ପ୍ରାକୃତିକ ପରିବେଶ ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ | ପାହାଡ ଶିଖରରେ ସପ୍ତଋଷି ମନ୍ଦିର ଏବଂ ରଘୁନାଥ ମନ୍ଦିର ଅବସ୍ଥିତ| ଢେଙ୍କକାନାଳ ଠାରୁ ୫ କି.ମି. ଦୂରରେ ସୁଉଚ୍ଚ କପିଳାଶ ପାହାଡ ଉପରେ ଅବସ୍ଥିତ ଶୈବ ପୀଠ ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରିଥାଏ|

ଦେଉଳଝରି: ଅନୁଗୁଳ ଠାରୁ ୯୦ କି.ମି. ଦୂରରେ ଥିବା ଆଠମଲିକ ନିକଟସ୍ଥ ଦେଉଳଝରି ଉଷ୍ଣପ୍ରସ୍ରବଣ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯେଉଁ ଠାରେ ବଣଭୋଜିର ମଜା ନେବା ପାଇଁ ସବୁ ସୁବିଧା ରହିଛି | ଏଠାରେ ଥିବା ଶିବଲିଙ୍ଗର ନିମ୍ନ ଭାଗରୁ ଜଳ ବାହାରି ମନ୍ଦିର ନିକଟସ୍ଥ ୩୬ଟି କ୍ଷୁଦ୍ର ପୁଷ୍କରଣୀ ମଧ୍ୟକୁ ଯାଏ ଏବଂ ଏହି ଜଳରେ ଔଷଧୀୟ ଗୁଣ ରହିଥିବାର ବିଶ୍ବାସ କରାଯାଏ|

ବଡ ଘାଗରା ଓ ସାନ ଘାଗରା:କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ବଡଘାଗରା ଓ ସାନ ଘାଗରା ଜଳ ପ୍ରପାତ ବଣଭୋଜି ପାଇଁ ଖୁବ ବଢିଆ ସ୍ଥାନ |

ଗୋନାଶିକା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ତଥା ବଣଭୋଜି କରିବା ପାଇଁ ଉପଯୁକ୍ତ |

ଖଣ୍ଡାଧାର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଲା ଖଣ୍ଡାଧାର ଜଳ ପ୍ରପାତ ଯାହା କେନ୍ଦୁଝର ଠାରୁ ୬୦କି.ମି. ଦୂରରେ ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତରେ ଅବସ୍ଥିତ | ଏଠାରେ ୭୦୦ ପୁଟ ଉଚ୍ଚ ପାହାଡରୁ ନଦୀର ଜଳ ତଳକୁ ପଡୁଥାଏ ଯାହାର ରୋମାଞ୍ଚଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ | ଏଠାରେ ବଣଭୋଜିର ଆୟୋଜନ କରିବାକୁ ରହିଛି ପ୍ରଶସ୍ତ ସ୍ଥାନ |

ମିରିଙ୍ଗିଶିଙ୍ଗା: କେନ୍ଦୁଝର ଜିଲ୍ଲାର ବଡବିଲ ବ୍ଲକ ଅନ୍ତର୍ଗତ ଦାମପୁର ଗ୍ରାମର ବୈତରଣୀ ନଦୀ କୂଳରେ ଅବସ୍ଥିତ ମିରିଙ୍ଗିଶିଙ୍ଗାର ଝାଡେଶ୍ବର ଶୈବପୀଠ ଏଠାକାର ଆଉ ଏକ ଆକର୍ଷଣ | ଏଠାକାର ସୁନ୍ଦର ପରିବେଶ ଓ ନଦୀ କୂଳର ବିଶାଳ ପ୍ରସ୍ତର ଖଣ୍ଡ ବଣଭୋଜି ପାଇଁ ବେଶ ଅନୁକୂଳ |
ଅଟ୍ରି: ଆମ ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର ୪୨ କି.ମି. ଦୂରରେ ରହିଛି ମହାପ୍ରଭୁ ହଟକେଶ୍ବରଙ୍କ ମନ୍ଦିର ଓ ସେଠାରେ ରହିଛି ଅ୍ରଟ୍ରି ଉଷ୍ଣପ୍ରସ୍ରବଣ ଯାହାର ଜଳର ତାପମାତ୍ରା ୫୫ ଡିଗ୍ରୀ ସେଲସିୟସରେ ସବୁବେଳେ ସ୍ଥିର ରହେ| ଏହି ଜଳ ଚର୍ମ ରୋଗ ଆରୋଗ୍ୟ କରିବାକୁ ସମର୍ଥ ବୋଲି ବିଶ୍ବାସ କରାଯାଏ| ଏହି ମନୋରମ ସ୍ଥାନଟିରେ ବଣଭୋଜିର ଆନନ୍ଦ ନେବାକୁ ଆପଣ ନିଶ୍ଚୟ ଚାହିଁବେ |

ମହାବିନାୟକ: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ଠାରୁ ୬ କି.ମି ଦୂରରେ ଥିବା ଘଞ୍ଚ ଜଙ୍ଗଲରେ ପରିପୂର୍ଣ ପାହାଡିଆ ଅଞ୍ଚଳରେ ମହାବିନାୟକ ମନ୍ଦିର ଅବସ୍ଥିତ ଯାହା ବଣଭୋଜି ପାଇଁ ଏକ ଭଲ ସ୍ଥାନ | ଏଠାରେ ପାହାଡ ଉପରେ ବନଦୂର୍ଗା ପୂଜା ପାଉଛନ୍ତି | ଏହା ଠାରୁ ୩ କି.ମି. ଦୂରରେ ଚଣ୍ଡିମନ୍ଦିର ଅବସ୍ଥିତ|

ଭୀମକୁଣ୍ଡ: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ | ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତରେ ପ୍ରବାହିତ ବୈତରଣୀ ନଦୀ ଏଠାରେ ସଂକୀର୍ଣ ହୋଇ ଏହାର ଜଳ ଉପରୁ ତଳକୁ ପଡିବା ଦ୍ବାରା ଏକ ସୁନ୍ଦର ଜଳପ୍ରପାତ ସଷ୍ଟି ହୋଇଛି | ବିଶାଳ ଘଞ୍ଚ ଶାଳ ବୃକ୍ଷରାଜିରେ ପରିବେଷ୍ଟିତ ଏହି ଜଳପ୍ରପାତ ଠାରେ ବଣଭୋଜିର ମଜା ନିଶ୍ଚୟ ନିଆରା |

ସୀତା କୁଣ୍ଡ: ମାଲକାନାଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ବଣ୍ଡାଘାଟୀ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ ଯାହା ଆଦିବାସୀ ବଣ୍ଡା ଜନଜାତିର ପରମ୍ପରା, ଜୀବନଯାପନ ଶୈଳୀ, ବେଶପୋଷାକ, ଚଳଣି ଆଦି ବିଷୟରେ ଜାଣିବା ପାଇଁ ପର୍ଯ୍ୟଟକଙ୍କୁ ବେଶ ସାହାଯ୍ୟ କରିଥାଏ| ବଣ୍ଡାଘାଟୀର ପର୍ବତ ଶୀର୍ଷରେ ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡାଲଖାଇ ପୂଜା ପାଉଛନ୍ତି| ଏଠାକାର ଅନ୍ୟ ଏକ ଆକର୍ଷଣ ହେଲା; ବନ ପର୍ବତ,ଝରଣାରେ ପରିବେଷ୍ଟିତ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣିତ ସୀତାଘାଟୀ ଯେଉଁଠାରେ ସୀକାକୁଣ୍ଡ ନାମକ ଏକ କୁଣ୍ଡ ରହିଛି | ଲୋକ କଥା ଅନୁସାରେ ଏଠାରେ ରାମଚନ୍ଦ୍ର ୧୪ ବର୍ଷ ବନବାସ ସମୟ ମଧ୍ୟରୁ ଏକ ବର୍ଷ ଅତିବାହିତ କରିଥିଲେ ଓ ଉକ୍ତ କୁଣ୍ଡରେ ଦେବୀ ସୀତା ସ୍ନାନ କରୁଥିବାରୁ ତାହାର ନାମକରଣ ସୀତାକୁଣ୍ଡ କରାଯାଇଛି| ଏହା ସହ ସେଠାରେ ସୀତାଦେବୀଙ୍କ ପାଦ ଚିହ୍ନ ମଧ୍ୟ ରହିଛି| ସୀତାକୁଣ୍ଡରେ ବଣ୍ଡା ସମ୍ପ୍ରଦାୟର ଇଷ୍ଟ ଦେବତା ପାଟଖଣ୍ଡା ବିରାଜିତ | କୀମ୍ବଦନ୍ତୀ କହେ ଯେ ଏଠାରେ ପୂଜାପାଉଥିବା ଖଣ୍ଡାକୁ ପ୍ରଭୁ ରାମଚନ୍ଦ୍ର ବଣ୍ଡା ସମ୍ପ୍ରଦାୟର ସୁରକ୍ଷା ପାଇଁ ସେମାନଙ୍କୁ ପ୍ରଦାନ କରିଥିଲେ ଯାହାକୁ ବଣ୍ଡାମାନେ ପ୍ରତିବର୍ଷ ମାଘ ପୂର୍ଣିମାରେ ପୂଜା କରିଥା’ନ୍ତି|

ଅପରକୋଲାବ ଡ୍ୟାମ ଓ ଜଳଭଣ୍ଡାର: କୋରାପୁଟ ଜିଲ୍ଲାର ଅପରକୋଲାବ ଡ୍ୟାମ ଓ ଜଳଭଣ୍ଡାର ଓଡିଶାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ | ଏହି ଡ୍ୟାମର ନିମ୍ନ ଭାଗରେ ଥିବା ସୁନ୍ଦର ଉଦ୍ୟାନ ଓ ବିଜ୍ଞାନ ପାର୍କ ଏଠାକାର ଅନ୍ୟ ଏକ ଆକର୍ଷଣ ଯେଉଁଠାରେ ମୁଖ୍ୟତଃ ଯୁବବର୍ଗଙ୍କ ପାଇଁ ବହୁ ଶୀକ୍ଷଣୀୟ କଥା ରହିଛି |ଏହାର ପ୍ରାକୃତିକ ଶୋଭାରେ ଆକର୍ଷିତ ହୋଇ ଓଡିଶା ସମେତ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟର ବିଭିର୍ଣ ସ୍ଥାନରୁ ବର୍ଷସାରା ବହୁ ପର୍ଯ୍ୟଟକ ବଣଭୋଜି ପାଇଁ ଏଠାକୁ ଆସନ୍ତି |

ବଡଦେବତା ପୀଠ: କୋରାପୁଟ ଜିଲ୍ଲାର ଅନ୍ୟ ଏକ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ହେଉଛି ବଡଦେବତା ପୀଠ | ଏଠାକୁ ଯିବା ପାଇଁ କୋରାପୁଟ ଠାରୁ ୫୦ କି.ମି ଦୂରରେ ଥିବା ନନ୍ଦପୁର ଯିବାକୁ ହୁଏ| ନନ୍ଦପୁରରୁ ୩୫କି.ମି ଦୂରରେ ଥିବା ପାଡୁଆ ଗ୍ରାମରେ ବଡଦେବତାଙ୍କ ପୀଠ ଅବସ୍ଥିତ|ଆଶା କରୁ ଆପଣଙ୍କୁ ପର୍ଯ୍ୟଟନ ଓ ବଣଭୋଜି ସମ୍ବନ୍ଧୀୟ ଆମର ଏହି ସୂଚନା ନିଶ୍ଚୟ ସାହାଯ୍ୟ କରିବ ନୂଆ ବର୍ଷ ୨୦୧୯କୁ ସ୍ବତନ୍ତ୍ର କରିବା ପାଇଁ | ଆଗକୁ ମଧ୍ୟ ଆପଣଙ୍କ ସୂଚନା ପାଇଁ ଆମେ ଏ ସମ୍ବନ୍ଧୀୟ ପୋଷ୍ଟ କରିବୁ |