ଆପଣ ପ୍ରତ୍ୟେକ ଓଡିଆ ଏହା ଜାଣି ନିଶ୍ଚୟ ଖୁସି ହେବେ ଯେ, ଚଳିତ ୨୦୧୯ ମସିହାରେ ଓଡ଼ିଶାର ଦୁଇ ଜଣ ମେଧାବୀ ଛାତ୍ରଙ୍କୁ ‘ପ୍ରଧାନମନ୍ତ୍ରୀ ବାଲ୍ ଶକ୍ତି ପୁରସ୍କାର’ ମିଳିଛି | ଏହା କେବଳ ଓଡିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ତଥା ବିଶ୍ବ ପାଇଁ ଗର୍ବର ବିଷୟ |
ସେମାନଙ୍କ ମଧ୍ୟରୁ ଜଣେ ହେଲେ ଯାଜପୁର ଜିଲ୍ଲାର ନୈସର୍ଗିକ ଲେଙ୍କା ଓ ଅନ୍ୟ ଜଣେ ହେଲେ ବଲାଙ୍ଗୀରର ଆୟୁଷ୍ମାନ ତ୍ରିପାଠୀ । ମଙ୍ଗଳବାର (୨୨/୦୧/୧୯)ରାଷ୍ଟ୍ରପତି ଭବନର ଦରବାର୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୈସର୍ଗିକ ଓ ଆୟୁଷ୍ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଏବେ ଆସନ୍ତୁ ଜାଣିବା ଏହି ଦୁଇ ଜଣ ମେଧାବୀ ଛାତ୍ରଙ୍କ ବିଷୟରେ…
୧- ଯାଜପୁରର ନୈସର୍ଗିକ ଲେଙ୍କା
ଚର୍ମ କର୍କଟ ଓ ପାକସ୍ଥଳୀ କର୍କଟରୁ ରକ୍ଷା କରିବା ପାଇଁ ନୈସର୍ଗିକ ଲେଙ୍କାଙ୍କ ଉଦ୍ଭାବନକୁ ମିଳିଛି ଜାତୀୟ ସ୍ତରର ପୁରସ୍କାର । ଯାଜପୁର ଜିଲ୍ଲାର ନିଲାମ୍ବରପୁର ଗାଁର ବାସିନ୍ଦା ହେଲେ ନୈସର୍ଗିକ । ତାଙ୍କ ଗାଁରୁ ଅଳ୍ପ ଦୂରରେ ରହିଛି ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ । କ୍ରୋମିୟମ୍ ମାଇନିଂ ଯୋଗୁଁ ଖଣିରୁ ବାହାରୁ ଥିବା ବର୍ଜ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଜନ ଜୀବନକୁ ପ୍ରଭାବିତ କରୁଛି । ଏହି ବର୍ଜ୍ୟ ପାଣି, ପବନ ଓ ମାଟିରେ ମିଶି କ୍ୟାନସର୍ ବାହକ ସୃଷ୍ଟି କରୁଛି । ପରେ ଖାଦ୍ୟ ଚକ୍ରରେ ମିଶି ଫଳ, ପନିପରିବା ଓ ଚାଉଳ ଦ୍ୱାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ବର୍ଜ୍ୟ ଦ୍ୱାରା ୩ ଲକ୍ଷ ଲୋକ ଚର୍ମ ଓ ପାକସ୍ଥଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଥି ପାଇଁ ନାଇଜର୍ ଲ୍ୟାବରେ ଡକ୍ଟର କିଶୋର ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ନେତୃତ୍ୱରେ ଦେଢ଼ ବର୍ଷ ହେଲାଣି ଗବେଷଣା କରୁଛନ୍ତି ନୈସର୍ଗିକ ।

ଖଣି ଅଂଚଳର ଲୋକମାନଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ସେ ଏକ ମାଟ୍ରିକ୍ସ ଉଦ୍ଭାବନ କରିଛନ୍ତି । ଏକ ସ୍ୱତନ୍ତ୍ର ଶୈବାଳ ଓ ପଲିମରର ମିଶ୍ରଣରେ ଏକ ନୂତନ ଜ୍ଞାନ କୌଶଳ ପ୍ରସ୍ତୁତ କରାଯାଇଛି । ଯାହାକୁ ପାଣି ଓ ମାଟିରେ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରି ହେବ । ଯାହାକି କ୍ୟାନସର ସୃଷ୍ଟିକାରୀ । ଉପାଦାନକୁ ଖାଦ୍ୟ ଚକ୍ରକୁ ଯିବାକୁ ଦେବ ନାହିଁ । ୟୁନିଟ୍ ୮ ଡି.ଏ.ଭି.ର ଛାତ୍ର ନୈସର୍ଗିକ ଲେଙ୍କା ବ୍ୟବସାୟୀ ସମରକେତନ ଲେଙ୍କା ଓ ମାତା ଇପସିତା ପୂଜାରୀଙ୍କ ପୁଅ ।
୨- ବଲାଙ୍ଗୀରର ଆୟୁଷ୍ମାନ
ବଲାଙ୍ଗୀରର ମନୋଜ କୁମାର ତ୍ରିପାଠୀ ଓ ନୀଳିମା ତ୍ରିପାଠୀଙ୍କ ପୁଅ ଆୟୁଷ୍ମାନ୍ ତ୍ରିପାଠୀ ମଧ୍ୟ ପାଇଛନ୍ତି ପ୍ରଧାନମନ୍ତ୍ରୀ ବାଲଶକ୍ତି ପୁରସ୍କାର । ଆୟୁଷ୍ମାନ୍ ଚନ୍ଦ୍ରଶେଖରପୁର ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି । ଅୟୁଷ୍ମାନ ଆନ୍ତର୍ଜାତୀୟ ଜୁନିୟର୍ ସାଇନସ୍ ଅଲମ୍ପିଆଡରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ସହିତ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିଥିଲେ ।

ବିଭିନ୍ନ ସର୍ବଭାରତୀୟ ଅଲମ୍ପିଆଡ୍ ପରୀକ୍ଷାରେ ଭାଗ ନେଇ ୯ଥର ପ୍ରଥମ ହେବା ସହିତ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଆମେରିକାସ୍ଥିତ ନାସାକୁ ଯିବାକୁ ସୁଯୋଗ ମଧ୍ୟ ପାଇଛନ୍ତି । ନିକଟରେ ପ୍ରଥମ ହୋଇ ସିଙ୍ଗାପୁରସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ର ଯାଇଛନ୍ତି । କିଶୋର ବୈଜ୍ଞାନିକୁ ପ୍ରୋତ୍ସାହନ ଯୋଜନା, ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ ଓ ରସାୟନ ବିଜ୍ଞାନ ଅଲମ୍ପିଆଡରେ ମଧ୍ୟ ବହୁବାର ସଫଳତା ହାତେଇଛନ୍ତି ଆୟୁଷ୍ମାନ୍ ।
ଏହି ଦୁଇଜଣ ଓଡିଆ ମେଧାବୀ ଛାତ୍ରଙ୍କର ଆମେ ଉନ୍ନତି ଓ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛୁ |