ଗତ ଫ୍ରେବୁଆରୀ ୧୪ ତାରିଖରେ ପାକିସ୍ତାନ ଆତଙ୍କବୀଦୀମାନଙ୍କ ଦ୍ବାରା କାଶ୍ମୀର ର ପୁଲୱାମା ଠାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ପାକିସ୍ତାନ ଉପରେ ମର୍ମାହତ । ପାକିସ୍ତାନ ଦ୍ବାରା ପ୍ରାୟୋଜିତ ବର୍ବରୋଚିତ ଆତଙ୍କୀ ଆକ୍ରମଣରେ ଭାରତର ଜଣେ ମେଜର୍ ସମେତ ୪୫ରୁ ଅଧିକ ସି.ଆର.ପି.ଏଫ ଯବାନ ଶହୀଦ ହେବା ସହ ୪୪ରୁ ଉର୍ଦ୍ଧ୍ବ ହୋଇଛନ୍ତି ଗୁରୁତର ଭାବେ ଆହତ । ଏହି ହୃଦୟ ବିଦାରକ ପରେ ଘଟଣା ପରେ ପାକିସ୍ତାନ ବିରୋଧରେ ଦେଶବାସୀଙ୍କ ହୃଦୟରେ ଜଳୁଛି ପ୍ରତିଶୋଧର ବହ୍ନି ।

ବର୍ତ୍ତମାନ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଭାରତର କୋଣ ଅନୁକୋଣରେ ଉଠୁଛି ପ୍ରତିଶୋଧର ସ୍ବର ଓ ଦାବି । ଭାରତ ସରକାର ମଧ୍ୟ କହିଛନ୍ତି ଯେ ଭାରତର ଶହୀଦ୍ ମାନଙ୍କ ବଳିଦାନ କଦାପି ବେକାର ଯିବ ନାହିଁ ଓ ଏହାର ଉଚିତ ଜବାବ ନିଶ୍ଚୟ ଦିଆଯିବ | ତେଣୁ ଭାରତ ସରକାର ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ନେବାକୁ ବିଚାର କରିବା ସହ କୂଟନୈତିକ କ୍ଷେତ୍ରରେ ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରୁ ଅଲଗା କରିବା ପାଇଁ ମଧ୍ୟ ଭାରତ ପ୍ରୟାସ କରୁଛି।
ତେବେ ଆସନ୍ତୁ ଜାଣିବା ଭାରତ କେଉଁ କେଉଁ ପଦକ୍ଷେପ ନେଲେ ପାକିସ୍ତାନକୁ ମିଳିବ ଉଚିତ ଜବାବ ।
୧. ପାକକୁ ଆତଙ୍କବାଦୀଙ୍କ ଦେଶ ଭାବେ ଘୋଷଣା ହେଉ:-
ଭାରତ ନିଜ ତରଫରୁ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରି ପାରିବ । ଏହାସହ ଭାରତ ଆନ୍ତର୍ଜାତିକ ସ୍ତରରେ ଅନ୍ୟ ଦେଶମାନଙ୍କୁ ଏପରି କରିବାକୁ ଚାପ ପକାଇବାକୁ ପଡିବ । ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ହେଉଛି ପାକିସ୍ତାନ ବୋଲି ଭାରତ ଆନ୍ତର୍ଜାତିକ ମଞ୍ଚରେ ପର୍ଦ୍ଦାଫାଶ କରି ପାକ ଉପରେ ପ୍ରତିବନ୍ଧକ ଲଗାଇ ପାରିବ । ଏହାଦ୍ବାରା ପାକିସ୍ତାନକୁ ବିଦେଶରୁ ମିଳୁଥିବା ଆର୍ଥିକ ଫଣ୍ଡ ମିଳିବା ମଧ୍ୟ ବନ୍ଦ ହୋଇ ପାରିବ ।
୨-ପାକିସ୍ତାନ ସହ ଶେଷ ହେଉ ଭାରତର ସମସ୍ତ ବାଣିଜ୍ୟିକ ସମ୍ପର୍କ:-
ଭାରତ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଠାରୁ ମୋଷ୍ଟ ଫେଭର୍ଡ ନ୍ୟାସନ(ଏମ.ଏଫ.ଏନ)ର ମାନ୍ୟତା ଛଡାଇ ନେଇଛି । ଏହାଦ୍ବାରା ପାକିସ୍ତାନକୁ ଭାରତରୁ ମିଳୁଥିବା ବ୍ୟବସାୟିକ ଲାଭ ଶେଷ ହୋଇଯିବ । କିନ୍ତୁ ଭାରତ ପାକିସ୍ତାନରୁ ସମସ୍ତ ବ୍ୟବସାୟିକ ସମ୍ପର୍କ ଶେଷ କରିନାହିଁ । ଭାରତ ପାକିସ୍ତାନ ଦ୍ରବ୍ୟ ଆମଦାନୀ ଉପରେ ୨୦୦ ପ୍ରତିଶତ ସୀମା ଶୁଳ୍କ ବୃଦ୍ଧି କରିଦେଇଛି । ଯାହାଦ୍ବାରା ପାକିସ୍ତାନରୁ ଦ୍ରବ୍ୟ ଆମଦାନୀ ଖର୍ଚ୍ଚ ବହୁତ ଅଧିକ ହୋଇଯାଇଛି । ଭାରତ-ପାକ ମଧ୍ୟରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏହାର କ୍ଷତିପୂରଣ ଭାରତ ଅନ୍ୟରାଷ୍ଟ୍ର ସହ ବ୍ୟବସାୟ କରି ପୂରଣ କରି ପାରିବେ ।
୩-ଶେଷ ହେଉ ସାଂସ୍କୃତିକ ସମ୍ପର୍କ:-
ସାଂସ୍କୃତିକ ସମ୍ପର୍କ ଅର୍ଥ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ କଳା, ସଂସ୍କୃତି, ଭାଷା ଓ ପରମ୍ପରାର ଆଦାନ ପ୍ରଦାନ କରିବାକୁ ବୁଝାଇଥାଏ । ଏହା ଅନ୍ତର୍ଗତ ଭାରତ-ପାକ କଳାକାର, ଚଳଚ୍ଚିତ୍ର, ସିରିୟଲ ଉପରେ ପ୍ରତିବନ୍ଧକ ଲଗାଇ ପାରିବ । ସେହିପରି ଭାରତ ନିଜ କଳାକାର, ଚଳଚ୍ଚିତ୍ର, ସିରିୟଲକୁ ପାକସ୍ତାନରେ ପ୍ରତିବନ୍ଧକ ଲଗାଇ ପାରିବ । ଏହାଛଡା ଭାରତ ଟ୍ରେନ, ବସ, ବିମାନ ଯାତ୍ରାର ଗମନାଗମନ ଉପରେ ବ୍ୟାନ ଲଗାଇ ପାରିବ । ଯାହା ଚରମ ପଦକ୍ଷେପ ହେବ ।
୪-ବନ୍ଦ କରାଯାଉ ଖେଳ:-
ପାକିସ୍ତାନ ସହ କେବଳ କ୍ରିକେଟ ନୁହଁ ବରଂ ସମସ୍ତ ପ୍ରକାରର ଖେଳ ବନ୍ଦ କରିବା ଆବଶ୍ୟକ । ଭାରତ ବିଶ୍ବ ସ୍ତରୀୟ, ଏସିଆ ଓ ଅଲମ୍ପିକର ଟୁର୍ଣ୍ଣାମେଣ୍ଟ ବା ମ୍ୟାଚରେ ପାକିସ୍ତାନ ସହ କୌଣସି ମ୍ୟାଚ ଖେଳିବ ନାହିଁ ବୋଲି କହିପାରିବ । କିନ୍ତୁ ଏହାଦ୍ବାରା ଭାରତକୁ ବହୁ କ୍ଷତି ସହିବାକୁ ପଡିବ । ଅନ୍ୟପକ୍ଷେ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟରେ ଭାରତ ପାକ ସହ ମ୍ୟାଚ ଖେଳିବାକୁ ମନା କରି ପାରିବ ନାହିଁ ।
୫-ବନ୍ଦ କରିଦିଅ ପାଣି:-
ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ସିନ୍ଧୁ, ଝେଲମ ପରି ନଦୀର ପାଣି ରୋକି ଦେଇପାରିବ । ଏହାଦ୍ବାରା ପି.ଓ.କେ ଓ ପାକିସ୍ତାନର ଜନତା ପାଣି ବିନା ଛଟପଟ ହେବେ । ସେତେବେଳେ ପାକିସ୍ତାନ ବାଧ୍ୟ ହୋଇ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । କିନ୍ତୁ ଏହା ଏତେଟା ସହଜ ନୁହଁ । କାରଣ ପାକିସ୍ତାନ ଏହି ମାମଲାକୁ ନେଇ ଆନ୍ତର୍ଜାତିକ ସ୍ତରକୁ ଯିବ । ସେଠାରେ ଏହାର ସମାଧାନ ବାଟ ଖୋଜିବ । ଏହାସହ ବହୁ ନଦୀ ଚୀନ ଦେଇ ପ୍ରବାହିତ ହୋଇ ଭାରତକୁ ଆସିଥାଏ । ତେଣୁ ଚୀନ ଭାରତ ବିରୋଧରେ ପଦକ୍ଷେପ ନେଲେ ଭାରତକୁ କ୍ଷତି ସହିବାକୁ ପଡିବ ।
୬-ପୁଣି କରାଯାଉ ସର୍ଜିକାଲ ଷ୍ଟ୍ରାଇକ:-
ଉରୀ ଆକ୍ରମଣ ପରେ ଭାରତ ଯେପରି ୨୦୧୬ରେ ପାକିସ୍ଥାନ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା, ବର୍ତ୍ତମାନ ପରିସ୍ଥିତିରେ ଠିକ ସେହିପରି ବା ତା’ ଠାରୁ ବଡ ଧରଣର ସର୍ଜିକାଲ ଷ୍ଟ୍ରାଇକର ଆବଶ୍ୟକତା ରହିଛି । ପାକ ଅଧିକୃତ କାଶ୍ମୀର ହେଉଛି ଆତଙ୍କବାଦୀଙ୍କ ମୁଖ୍ୟ ଆଡ୍ଡାସ୍ଥଳୀ । ତେଣୁ ଏଠାରେ ଆତଙ୍କୀ ଠିକଣାକୁ ସମୂଳେ ଧ୍ବଂସ କରିବାର ଯୋଜନା କରି ହେବ । ଆମେରିକା କମାଣ୍ଡୋ ଯେପରି ଗୁପ୍ତ ଯୋଜନା ଅନ୍ତର୍ଗତ ପାକିସ୍ତାନରେ ପଶି ଆଲକାଇଦା ପ୍ରମୁଖ ଓସାମା ବିନ ଲାଦେନଙ୍କୁ ହତ୍ୟା କରିଥିଲା ସେହିପରି ଭାରତର ବୀର କମାଣ୍ଡୋ ମାନେ ଗୁପ୍ତ ଯୋଜନା ଅନ୍ତର୍ଗତ ପାକିସ୍ତାନରେ ପଶି ହାଫିଜ ସୟଦ, ମସୁଦ ଅଜହର ପରି ଆତଙ୍କବାଦୀଙ୍କୁ ନିପାତ କରି ପାରିବେ ।
୭- ଧାରା ୩୭୦ ଓ ୩୫ ଏ ଉଠାଇ ନେବା:-
ବର୍ତ୍ତମାନ ସମୟରେ ଭାରତ ସରକାର ଧାରା ୩୭୦ ଓ ୩୫-ଏ ଧାରା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ। ୩୭୦ ଓ ୩୫ ଏ ଧାରାକୁ ସଂପୂର୍ଣ୍ଣ ଶେଷ କରି ଭାରତ ସରକାର ଜମ୍ମୁ କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ । ଉକ୍ତ ଦୁଇ ଧାରା ଅନୁଯାୟୀ ଜମ୍ମୁ କାଶ୍ମୀର ଅଧିବାସୀଙ୍କ ପାଇଁ ବିଶେଷ ପ୍ରାବଧାନ କରାଯାଇଛି । ଜମ୍ମୁ କାଶ୍ମୀର ପାଇଁ ଅଲଗା ସମ୍ବିଧାନ ରହିବା ସହ ସେଠାରେ ଭାରତର ଅନ୍ୟ ରାଜ୍ୟରୁ କୌଣସି ଅଧିବାସୀ ଜମି କିଣି ପାରିବେ ନାହିଁ କି ବାସ କରି ପାରିବେ ନାହିଁ । ଏପରିକି ଜମ୍ମୁ କାଶ୍ମୀର କୌଣସି ଝିଅ ଅଲଗା ରାଜ୍ୟରେ ବିବାହ କଲେ ତାକୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ ହେବାକୁ ପଡିଥାଏ । ଭାରତୀୟ ସମ୍ବିଧାନ ସଂଶୋଧନ ବହୁ ଜଟିଲ ହୋଇଥିବାରୁ
ଉକ୍ତ ଦୁଇଟି ଧାରା ଉଠାଇବା ଏତେ ସହଜ ମନେ ନହେଲେ ବି ଭାରତରେ ଶାନ୍ତି ବଜାୟ ରଖିବା ପାଇଁ ଏହି ପଦକ୍ଷେପ ର ଅତ୍ୟନ୍ତ ଆବଶ୍ୟକତା ରହିଛି |
ଜୟ ହିନ୍ଦ ! ଜୟ ଭାରତ !