
ପଲଉ ଏକ ପ୍ରକାରର ଅନ୍ନ ଜାତୀୟ ଖାଦ୍ୟ ଓ ଗରମ ପାଣିରେ ଚାଉଳକୁ ଶିଝାଇ ଏହା ପ୍ରସ୍ତୁତ କରାଯାଏ । କେତେକ ପ୍ରସ୍ତୁତି ପ୍ରଣାଳୀରେ ଚାଉଳକୁ ପ୍ରଥମେ ଟିକେ ତେଲରେ ଭାଜି ତାହା ସୁନେଲି ରଙ୍ଗର ହୋଇଯିବା ପରେ ତାହାକୁ ଗରମପାଣିରେ ଶିଝାଯାଏ । ପଲଉରେ ଭଜା ପିଆଜ, ଅନ୍ୟ ଭଜା ପରିବା, ମସଲା ଆଦି ମଧ୍ୟ ମିଶାଯାଏ । ସ୍ଥାନୀୟ ଲୋକଙ୍କ ପସନ୍ଦ ଅନୁସାରେ ପଲଉରେ ମାଛ, ମାଂସ, ପାସ୍ତା, କାଜୁ, ମଟର, ବିନ୍ସ୍, ଆଳୁ, ଗାଜର, କିଶ୍ମିଶ୍ ଆଦି ମଧ୍ୟ ମିଶାଯାଇପାରେ । ଭାରତରେ ଲୋକେ ମଧ୍ୟାହ୍ନ ବା ରାତ୍ରି ଭୋଜନ ପାଇଁ କେବେ କେବେ ପଲଉ ଉପଭୋଗ କରନ୍ତି, କିନ୍ତୁ ଭୋଜି ଓ ଉତ୍ସବରେ ପ୍ରାୟତଃ ପଲଉ ରନ୍ଧା ହୋଇଥାଏ । ପଲଉରୁ ବହୁ ପରିମାଣର ଶ୍ଵେତସାର ଓ ସ୍ନେହସାର ମିଳିଥାଏ । ପଲଉ ସହିତ କେହି କେହି ଦହି ବା ରାଇତା ଖାଇବା ପସନ୍ଦ କରନ୍ତି । ବିରିୟାନି ପଲଉ ପରି ଦେଖାଗଲେ ମଧ୍ୟ ଉଭୟଙ୍କ ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଭିନ୍ନ ।
ଆବଶ୍ୟକୀୟ ସାମଗ୍ରୀ:
- ଚାଉଳ-୨ କପ୍
- ପାଣି-୪ କପ୍
- ଗାଜର, କଞ୍ଚା ମଟର, କ୍ୟାପ୍ସିକମ୍ ବା ଶିମଳା ମରିଚ
- ତେଜପତ୍ର-୨ଟି
- ତେଲ-୪ ଚାମଚ
- ଘିଅ-୪ ଚାମଚ
- ଲଙ୍କା- ୫, ଡାଲଚିନି-୧, ଅଲେଇଚ-୨ଟା
- କାଜୁ-୧୦ରୁ୧୫ଟା
- ଅଦା-ଅଳ୍ପ
- ଗରମ ମସଲା
- ଲୁଣ-ସ୍ଵାଦ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ:
- ତେଲ ଓ ଘିଅ ଗରମ ହେଲେ ସେଥିରେ ଅଦା, ଲଙ୍କା, ତେଜପତ୍ର, ଅଳେଇଚ, ଡାଲଚିନି ପକାଇ ଭଜାଯାଏ ।
- ତା’ପରେ କଞ୍ଚା ମଟର, କଟା ଗାଜର, କଟା ବିଟ୍ ଆଦି ପରିବାକୁ ଧୋଇ ସେଥିରେ ମିଶାଇ ଭାଜି ଦିଆଯାଏ ।
- ପରିବା ଭାଜି ହୋଇଗଲେ ସେଥିରେ ଚାଉଳକୁ ୨ରୁ ୩ ମିନିଟ୍ ହାଲୁକାରେ ଭାଜି ଦେଇ ପାଣି ଢାଳି ଦିଆଯାଏ ।
- ପାଣି ଫୁଟି ଗଲେ ସେଥିରେ ଲୁଣ ମିଶାଯାଏ ଓ ଚୁଲିର ଜାଳକୁ କମ୍ କରି ଦିଆଯାଏ ।
- ଶେଷରେ ସେଥିରେ କାଜୁ, ୧ ଚାମଚ ଘିଅ ଓ ଅଳପ ଗରମ ମସଲା ଦେଇ ଚୁଲିକୁ ବନ୍ଦ କରି କିଛି ସମୟ ଛାଡ଼ି ଦିଆଯାଏ ।