Odia Short Story

New Odia Short Story Yashahin Manabara Atulaniya Sampada

Download Odia Books Online

Odia Short Story Jasahin Manabara Atuilaniya Sampada
                                          Odia Short Story Yashahin Manabara Atulaniya Sampada

ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ ।

ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ ଫୁଙ୍ଗୁଳା ଦେହରେ ବସିଥିବା ସାଧୁଙ୍କୁ ଦେଖି ରାଜା ନିର୍ଦ୍ଧେଶ ଦେଲେ ଆସନ୍ତାକାଲି ଗରମପୋଷାକ ଆଣି ସାଧୁଙ୍କୁ ଦେବା ପାଇଁ ।

ସୁତରାଂ ରାଜାଦେଶାନୁସାରେ ପରଦିନ ସାଧୁଙ୍କ ପାଖରେ ଏକ କମ୍ବଳ ଓ କିଛି ସୁନାମୋହର ପହଁଚିଲା । ହେଲେ ସାଧୁ ଏହାକୁ ନେବାପାଇଁ ମନା କରିଦେଲେ ।

ଏହି କଥା ମନ୍ତ୍ରୀ ଫେରିଯାଇ ରାଜାଙ୍କୁ ଜଣାଇଦେଲେ । ଏବେ ରାଜା ଭାବିଲେ ବୋଧହୁଏ ସନ୍ନ୍ୟାସୀ ଜଣକ ଆହୁରି ଅଧିକ ଦାମ୍ ର କମ୍ବଳ ଓ ଅଧିକ ସୁନା ମୋହର ଚାହୁଁଛନ୍ତି ।

ଏହାପରେ ରାଜା ନିଜେ ଏକ ସୁନାଥାଳିରେ ଅଧିକସଂଖ୍ୟକ ସୁନା ମୋହର ଓ ସବୁଠୁ ଅଧିକ ଦାମ୍ ର କମ୍ବଳ ନେଇ ସାଧୁବାବାଙ୍କ ନିକଟରେ ପହଁଚିଲେ ।

ଏଥର ସାଧୁବାବା ଅତି ନମ୍ରଭାବରେ ରାଜାଙ୍କୁ କହିଲେ, ”ମହାରାଜ! ଆପଣଙ୍କର ଏହି ଉପହାର ମୋତେ କି ସୁଖ ଦେଇ ପାରିବ? ମୋ’ ମନର ରାଜ୍ୟ ଆପଣଙ୍କ ରାଜ୍ୟଠାରୁ ଢେର ବଡ । ମୁଁ ମୋର ସିଦ୍ଧି ପ୍ରଭାବରୁ ଯେକୌଣସି ପର୍ବତକୁ ସୁନାର ପର୍ବତରେ ପରିଣତ କରିଦେଇ ପାରିବି । ସୁତରାଂ ମୋର କ’ଣ ଅଭାବ ଅଛି ଯେ, ଆପଣଙ୍କଠାରୁ ଏ ଭିକ୍ଷା ନେବି? ଅନାବିଳ ଆନନ୍ଦଠାରୁ ଶ୍ରେଷ୍ଠ ଆନନ୍ଦ ଏ ଧରାରେ କିଛି ନାହିଁ ।”

ସାଧୁଙ୍କ ମୁହଁରୁ ଏଭଳି କଥା ଶୁଣି ରାଜା ଲଜ୍ଜିତ ହୋଇ ଫେରି ଆସିଲେ ସେ ଦିନ । ମନେ ମନେ ସେ ସାଧୁବାବା କହିଥିବା ସେଇ ସୁନା ପର୍ବତ କଥା ଭାବୁଥାନ୍ତି ।

ଆଉ ଦିନେ ରାଜା କାହାରିକୁ କିଛି ନ କହି ସାଧୁବାବାଙ୍କ ପାଖରେ ପହଁଚିଲେ । ସାଧୁବାବାଙ୍କୁ କହିଲେ, ”ମହାଭାଗ! ଆପଣ ସେଦିନ କହିଥିଲେ ଯେ ତପ ପ୍ରଭାବରୁ ଯେକୌଣସି ପର୍ବତକୁ ସୁନାର ପର୍ବତ କରି ଦେଇପାରନ୍ତି । ଏବେ ଆପଣ ଯଦି ମୋ ପାଇଁ ଗୋଟିଏ ଛୋଟ ପାହାଡକୁ ସୁନା କରି ଦିଅନ୍ତେ, ତେବେ ମୁଁ ଆପଣଙ୍କ ନିକଟରେ ଚିର ଋଣୀ ହୋଇ ରହିଯାଆନ୍ତି ।”

ଏଥର ସାଧୁବାବା ହସି ହସି କହିଲେ, ”ଏତେ ସୁନା ନେଇ ଆପଣ କ’ଣ କରିବେ?”

ରାଜା ଉତ୍ତର ଦେଲେ, ”ମୁଁ ସେହି ସୁନା ବିକ୍ରି ଧନରେ ଏକ ବିଶାଳ ସେନା ବାହିନୀ ଗଠନ କରି ତା’ ସାହାଯ୍ୟରେ ଅନେକ ରାଜ୍ୟଜୟ କରି ଏକ ବିଶାଳ ସାମ୍ରାଜ୍ୟର ଅଧିକାରୀ ହୋଇପାରନ୍ତି ।”

ସାଧୁବାବା କହିଲେ, ”ତେବେ ଠିକ୍ ଅଛି । ଆପଣଙ୍କ କହିବା ଅନୁଯାୟୀ ସମ୍ମୁଖରେ ଥିବା ପାହାଡକୁ ସୁନା କରି ଦେଉଛି, ହେଲେ ଗୋଟିଏ ସର୍ତ୍ତରେ ଆପଣଙ୍କୁ ମୋ ନିକଟକୁ ପ୍ରତିଦିନ ଆସିବାକୁ ହେବ ।”

ଏବେ ସାଧୁଙ୍କ ସର୍ତ୍ତ ପୂରଣ କରିବା ପାଇଁ ପ୍ରତ୍ୟହ ରାଜା ସାଧୁଙ୍କ ନିକଟକୁ ଆସୁଥାନ୍ତି । ଦେଖୁ ଦେଖୁ ଦୁଇମାସ ବିତିଗଲାଣି । ରାଜାଙ୍କୁ ସାଧୁ ରହୁଥିବା ସ୍ଥାନର ବାତାବରଣ ଏତେ ଭଲଲାଗିଲାଣି ଯେ, ରାଜା ଆଉ ଉଆସକୁ ଫେରିବାକୁ ଇଚ୍ଛା କରୁନାହାନ୍ତି । ସର୍ତ୍ତର ଅବଧି ବି ପୂରଣ ହେବାକୁ ବସିଲାଣି ।

ଏଥର ସାଧୁବାବା ରାଜାଙ୍କୁ କହିଲେ, ”ଏବେ କୁହନ୍ତୁ ରାଜନ୍, ଆପଣ କେଉଁ ପାହାଡକୁ ସୁନା କରିବାକୁ ଚାହୁଁଛନ୍ତି? ହେଲେ ରାଜା ନିରୁତ୍ତର ରହିଲେ ।”

ପୁନଶ୍ଚ ସାଧୁ ସେହି ଏକାପ୍ରଶ୍ନ ପଚାରିବାରୁ ରାଜା କାଲିକି କହିବେ ବୋଲି କହି ରାଜ ଉଆସକୁ ଫେରିଗଲେ । ପରଦିନ ରାଜା ଏକ ଅଦ୍ଭୁତ ବେଶରେ ସାଧୁବାବାଙ୍କ ପାଖରେ ପହଁଚିଗଲେ । ଏହି ବେଶ ଥିଲା ରାଜାଙ୍କର କୌପୀନ୍ ଧାରୀ ସନ୍ଥ ବେଶ ।

ଏହା ଦେଖି ସାଧୁବାବା ପଚାରିଲେ, ”ଏ କି ବେଶ? ଆପଣ ଆଉ କ’ଣ ସୁନା ପାହାଡ ଚାହାନ୍ତି ନାହିଁ?”

ରାଜା କହିଲେ, ”ନା, ମୋର ଧନ ସମ୍ପତ୍ତି କି ସାମ୍ରାଜ୍ୟ ଲୋଡା ନାହିଁ । ଲୋଡା କେବଳ ଯଶ । ଆପଣ ଯେଭଳି ଆପଣଙ୍କର ପ୍ରତିଭାବଳରେ ମୋର ଜୀବନଧାରାକୁ ବଦଳାଇ ଦେଇ ପାରିଲେ, ମୁଁ ଯଦି ସେହିଭଳି ଅନ୍ୟମାନଙ୍କର ଜୀବନଧାରାକୁ ବଦଳାଇ ଭଲ ବାଟକୁ ଆଣି ପାରିବି, ସେଇ ହେବ ମୋର ମଣିଷପଣିଆ । କେବଳ ମୋର ସେହି ଯଶ ଟିକକ ଲୋଡା, ଯାହାକୁ ନେଇ ଆପଣ ଯଶସ୍ୱୀ ହୋଇପାରିଛନ୍ତି ।”

ଏଥିରୁ ଶିକ୍ଷା ମିଳେ – ”ଯଶହିଁ ମାନବର ଅତୁଳନୀୟ ସମ୍ପଦ ।”

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X