Odia Short Story

New Odia Short Story Sahajyakari Jangalpari

Download Odia Books Online

Hellow Everyone,

How are you doing. Today we are publishing another odia short story. You can find other stories in our Odia Short Story portal. This story is a beautiful story.  You must love this story Enjoy this story and discuss it among your family and friends. Thank you.

Odia Short Story Sahajyakari Jangalapari

ମାଳତୀପୁର ଗାଆଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥାଏ । ସେହି ବିଦ୍ୟାଳୟରେ ରାଜୁ ପାଠ ପଢୁଥାଏ । ତା ମା’ ଥିଲା ବିଧବା ଓ ଅତି ଗରିବ । ମା’ କାମଧନ୍ଦା କରି ରାଜୁର ସବୁ ଇଚ୍ଛାକୁ ପୂରଣ କରୁଥାଏ । ଦିନେ ସେ ରାଜୁର ମାଆକୁ ଭୀଷଣ ଜ୍ୱର ହେଲା । ସେ ଆଉ ପୂର୍ବପରି କାମ ଧନ୍ଦା କରିପାରିଲା ନାହିଁ । ରାଜୁ ତା ବିଦ୍ୟାଳୟକୁ ଯାଏ ସିନା, ହେଲେ ତା ମନଟା ଥାଏ ତା ମାଆ ପାଖରେ । ଏଣେ ରାଜୁ ପାଖରେ ଟଙ୍କାଟିଏ ବି ନଥାଏ ଔଷଧ କିଣିବା ପାଇଁ ।

ଜଙ୍ଗଲ ବାଟଦେଇ ଯିବା ସମୟରେ ଗୋଟିଏ ସ୍ତ୍ରୀଲୋକଙ୍କୁ ରାଜୁ ଦେଖିଲା । ଦୀର୍ଘକାୟ ସେ ସ୍ତ୍ରୀ ଲୋକ । ତାଙ୍କର ଉଚ୍ଚତା ପାଖାପାଖି ୭ଫୁଟ୍ ହେବ । ରାଜୁର ହାତକୁ ଧରି ପକାଇ ସେ ସ୍ତ୍ରୀଲୋକଟି କହିଲା – ତୋ ମାଆ ଦେହ ଭଲ ନାହିଁ । ଏଇ ଔଷଧ ଦୁଇପାନ ନେଇ ତୁ ତୋ ମାଆକୁ ଖୁଆଇ ଦେବୁ । ସେ ନିଶ୍ଚୟ ଭଲ ହୋଇଯିବ । ତହୁଁ ସେ ରାଜୁ ଔଷଧ ହାତରେ ଧରି ପଚାରିଲା –ତୁମେ କିଏ? କାହିଁକି ମୋତେ ଏହି ଔଷଧ ଦେଉଛ । ଏକଥା ଶୁଣି ସେ ସ୍ତ୍ରୀଲୋକଟି କହିଲା ମୁଁ ଅସହାୟର ବାନ୍ଧବୀ, ମୋ ନାଁ ଜଙ୍ଗଲ ପରୀ । ମୁଁ ଆକାଶର ପରୀରାଇଜରୁ ଆସି ଏଠି ଜଙ୍ଗଲ ଭିତରେ ବାସ କରିଛି । ଯିଏ ଅସୁବିଧାରେ ରହିଥାଏ କିମ୍ବା ଅସୁସ୍ଥ ହେଲେ ଔଷଧ ପାଇଁ ଟଙ୍କାଟିଏ ବି ନପାଏ, ମୁଁ ସେଇମାନଙ୍କୁ ହିଁ ସାହାଯ୍ୟ ଦିଏ । ବନ ଦେବୀଙ୍କ ଦୟାରୁ ମୁଁ ସବୁକିଛି ବିଦ୍ୟାକୁ ଆୟତ କରିଛି । ତୁ ଏ ଔଷଧ ତୋ ମାଆକୁ ଦେବୁ । ତାହେଲେ ଯାଇ ତୋ ମାଆ ନିଶ୍ଚୟ ଭଲ ହୋଇଯିବ । ତୋର କିଛିବି ଅସୁବିଧା ହେଲେ ତୁ ମୋତେ ହିଁ ଡାକିବୁ ମୁଁ ତୋତେ ଏହି ରୂପରେ ହିଁ ଦେଖାଦେବି ।

ଏକଥା ଶୁଣି ରାଜୁ ପଚାରିଲା – କ’ଣ କହି ଡାକିଲେ ତୁମେ ଆସିବ? ପରୀଟି କହିଲା – ଜଙ୍ଗଲରୁ ମୁଠାଏ ମାଟି ଧରି ତିନିପାଦ ଆଗକୁ ଯାଇ କହିବୁ –

”ପରିରାଣୀ ତୁମେ ଜଙ୍ଗଲ ରାଣୀ

ଦୁଃଖ ଯାହା ଅଛି କର ଗୋ’ ପାଣି ।

ତୁମେ ବନଦୁର୍ଗା ସଙ୍ଗାତ ଅଟ

ତୁମେ ହିଁ ତାରିବ ମୋର ସଙ୍କଟ ।”

ଏହି କଥାକୁ ମନେ ରଖି ଔଷଧ ନେଇ ରାଜୁ ତା’ ଘରକୁ ଗଲା । ମାଆକୁ ଔଷଧପାନେ ଦେଇଛି, ରାଜୁ ମାଆର ଜ୍ୱର ବାରଅଣା ଛାଡିଗଲା । ରାତିରେ ଆଉ ପାନେ ଔଷଧରେ ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଗଲା ସେ ରାଜୁର ମାଆ ।

ତାପରେ ରାଜୁ ତା’ ମାଆ ଆଗରେ ସବୁ ସତ କଥା କହିଲା । ମାଆ କିନ୍ତୁ ରାଜୁର କଥାକୁ ମିଛ ଭାବିଲା । ଓଲଟି ମାଆ କହିଲା ତୁ ବଇଦଠାରୁ ଔଷଧ ଆଣିଛୁ । ଜଙ୍ଗଲପରୀ କିଏ ଗୋଟାଏ ଅଛି! କାହିଁକି ତୁ ଏ ମିଛ କହୁଛୁ ।

ଏପରି କଥା ଶୁଣି ରାଜୁ ତା ମାଆର ଅବିଶ୍ୱାସୀତାରେ ଖୁବ୍ ବ୍ୟସ୍ତ ହୋଇପଡିଲା । ତେଣୁ ରାଜୁ ତା ମାଆକୁ ଧରି ଜଙ୍ଗଲକୁ ଗଲା । ଜଙ୍ଗଲରୁ ମୁଠାଏ ମାଟି ଧରି ରାଜୁ ସେ ଗୀତଟି ଗାଇଦେଲା । ହଠାତ୍ ସେହିକ୍ଷଣି ସୁ… ସୁ ଶବ୍ଦ କରି ତଳକୁ ଓହ୍ଲାଇଲା ଚଢେଇପରି ପକ୍ଷଥିବା ସ୍ତ୍ରୀଲୋକଟି । ତା ଦେହରୁ ଝଲକ ବାହାରୁଥିଲା । ରାଜୁର ମାଆ କଥା ଜାଣିପାରି ସେ ଜଙ୍ଗଲପରୀ କହିଲେ –

”ପରୀରାଇଜରୁ ଆସିଅଛି ମୁହିଁ

ମୁଁ ପରୀରାଣୀ ।

ଜଙ୍ଗଲ ଶୋଭାରେ ମୁଗ୍ଧ ହୋଇଏଠି

କଲି ରହଣି ।

ଭଲ ଲୋକ, ଭଲ ପିଲାମାନଙ୍କର ହୁଏ ମୁଁ ସାଥୀ

ତାଙ୍କ ଗୁଣେ ମୁଗ୍ଧ ହୋଇ ମୁଁ କରଇ ସାହାଯ୍ୟ ଅତି ।

ରାଜୁ ଅତି ଭଲ ପିଲାଟିଏ ଅଟେ ଜାଣିପାରିଲି

ମାଆଟି ତାହାର ସୁସ୍ଥ ହେବା ପାଇଁ ଔଷଧ ଦେଲି ।”

ଏପରି କଥା ଶୁଣି ରାଜୁର ମାଆ ଖୁବ୍ ଖୁସି ହୋଇଗଲା । ଏଥର ମାଆ ଜାଣିଲେ ଯେ, ରାଜୁର ବ୍ୟବହାର ଭଲ ଯୋଗୁଁ ଜଙ୍ଗଲ ପରୀ ତାକୁ ଅତି ସ୍ନେହରେ ଔଷଧ ଦେଇଥିଲେ । ଯାହାଦ୍ୱାରା ରାଜୁର ମାଆ ତଥା ସେ ନିଜେ ସୁସ୍ଥ ହୋଇପାରିଲେ । ତାପରେ ରାଜୁର ମାଆ ଦୈନ୍ୟ ଭାବରେ କହିଲେ, ରାଜୁ ମୋର ଭଲ ପାଠ ପଢୁଛି । ସେ କିପରି ବଡ ମଣିଷ ହେବ, ତୁମେ ଚାହିଁବ । ତାର ତ ବାପା ନାହିଁ । ତାଛଡା ଆମ ବନ୍ଧୁବାନ୍ଧବମାନେ ବଡ ଗରିବ । ତେଣୁ କେହିବି ତାର ପାଠ ପଢାପାଇଁ ମୋଟେ ଦୃଷ୍ଟି ଦିଅନ୍ତି ନାହିଁ । ଏବେ ତୁମେ ହିଁ ତାର ଭଉଣୀ, ତୁମେ ହିଁ ତାର ମାଆ ।

ପରୀରାଣୀ ସେ ଦୁଇଜଣଙ୍କ ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇ ରାଜୁକୁ ଗୋଟିଏ ସ୍ମୃତିସୁଧା ପତ୍ର ଜଙ୍ଗଲରୁ ଛିଡାଇଆଣି ମନ୍ତୁରାଇ ଦେଲେ । ରାଜୁକୁ ସେ ପରୀ କହିଲେ – ଏଇ ପତ୍ର ଖାଇ ତୁ ପାଣି ପିଇଦେବୁ । ଆଉ ଖାଇଲା ବେଳେ ତୁ ମୋତେ ହିଁ ସ୍ମରଣ କରି ଖାଇବୁ । ତାହେଲେ ଯାଇ ତୋର ସବୁ ପାଠ ମନେରହିବ, ତୁ ଏଥର ତୋ ମାଆ ସହିତ ଚାଲିଯା । ଦରକାର ପଡିଲେ ମୋ ପାଖକୁ ଆସିବୁ । ଏହା କହି ସେ ପରୀ ଉପରକୁ ପକ୍ଷଝାଡି ଉଡିଗଲେ । ସେ ଜଙ୍ଗଲର ଘଂଚ ପତ୍ର ଭିତରେ କେଉଁଠି ପରୀ ଛପିଗଲେ ଯେ, ରାଜୁ ତାହା ଆଦୌ ଜାଣିପାରିଲା ନାହିଁ ।

ରାଜୁ ତା’ପରଦିନ ବିଦ୍ୟାଳୟକୁ ଗଲା । ଶିକ୍ଷକମାନେ ତାକୁ ଯେଉଁ ପାଠ ପଚାରିଲେ ରାଜୁ ସେ ସବୁ କହିପାରିଲା । ଏହା ଦେଖି ସମସ୍ତେ ଏକାବେଳେ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ସମସ୍ତେ ଭାବିଲେ, ମନଦେଇ ରାଜୁ ବୋଧେ ଦିନରାତି ପଢୁଛି, ନହିଲେ ସେ ଏତେ ଶୀଘ୍ର ଉତ୍ତର ବା ଦେଇ ପାରୁଛି କେମିତି? ରାଜୁକୁ ମଧ୍ୟ ସେ ପ୍ରଶଂସା ଗୁଡିକ ମନ ବୋଧ ହେଉଥିଲା । ତେଣୁ ବିଦ୍ୟାଳୟରେ ଯାହା ପଢା ହେଉଥିଲା, ସେ ରାଜୁ ସେଗୁଡିକୁ ଭଲଭାବରେ ପଢୁଥିଲା ଓ ଲେଖାଲେଖି ପାଠକୁ ଲେଖୁଥିଲା । ଏହା ଦ୍ୱାରା ରାଜୁ ଶିକ୍ଷକମାନଙ୍କ ନିକଟରେ ଅତିପ୍ରିୟ ଛାତ୍ର ହୋଇପାରିଲା, ଠିକ୍ ସେହିପରି ରାଜୁ ଭଲ ଖେଳୁଥିଲା ଓ ଗୀତ ମଧ୍ୟ ଗାଇ ପାରୁଥିଲା । ସେଥି ପାଇଁ ରାଜୁ ଜିଲ୍ଲାପାଳଙ୍କଠାରୁ ସିଲ୍ ଓ ଅର୍ଥ ପୁରସ୍କାର ବାବଦରେ ପାଇପାରିଲା ।

ତେଣେ ରାଜୁର ସାଙ୍ଗମାନେ ରାଜୁ ଉପରେ ହିଂସାତ୍ମକ ପନ୍ଥା ଅବଲମ୍ବନ କରି ବସିଲେ । ସେମାନେ ସମସ୍ତେ ଏକଜୁଟ ହୋଇ ଛୁଟି ସମୟରେ ଜଙ୍ଗଲବାଟରେ ଲୁଚିରହିଲେ । ରାଜୁକୁ ମାଡିବସି ତାକୁ ଜୀବନରୁ ମାରିଦେବା ପାଇଁ ସେଠାରେ ତା ସାଙ୍ଗମାନେ ଯୋଜନା କଲେ ।

ସ୍କୁଲ୍ ଛୁଟି ହେଲା । ରାଜୁ ତା ବହି ବସ୍ତାନୀଟି କାନ୍ଧରେ ପକାଇ ଗୀତ ବୋଲି ଆସୁଥାଏ, ଜଙ୍ଗଲ ଦେଇ ତା ଘରକୁ ଯିବାର ବାଟ, ଏଣେ ସେ ଦୁଷ୍ଟ ଅହଂକାରୀ ସାଙ୍ଗମାନେ ହୁଁ କାର ଶବ୍ଦ ଦେଇ ରାଜୁକୁ ମାଡି ବସିଲେ । ଏକ ସତବରରେ ସେ ଦୁଷ୍ଟ ସାଙ୍ଗ ମାନେ କହିଲେ –

”ଭଲପାଠ ପଢି ଗେହ୍ଲା ଛାତ୍ର ହେବୁ

ଶିକ୍ଷକଙ୍କର,

ନାଚରେ, ଗୀତରେ, ଖେଳରେ ହୋଇବୁ

ଅତିସୁନ୍ଦର,

ଆମକୁ ଶିକ୍ଷକ ଗଧିଆ ବୋଲି କି

ଡାକୁଛନ୍ତି ରେ

ତୋତେ ମାରିଦେଲେ କଂଟା ଚାଲିଯିବ,

ସତ କଥାରେ!”

ସେହି ସମୟରେ ହଠାତ୍ ଗୋଟିଏ ଅଜଗର ସାପ ଗଛଉପରୁ ତଳକୁ ଲମ୍ବିଆସିଲା । ସାପଟି ସେ ଦୁଷ୍ଟ, ବଦମାସ୍ ପିଲାମାନଙ୍କୁ ତାର ଶରୀରରେ ଗୁଡାଇ ପକାଇଲା । ଏସବୁ ଦେଖି ସେ ଦୁଷ୍ଟମାନେ କେବଳ ଭୟରେ ଚିତ୍କାର କରିଉଠିଲେ ।

ରାଜୁ ଠିଆହୋଇ ଏକଥା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ରକ୍ଷା କରିବାପାଇଁ ପ୍ରବଳ ଚେଷ୍ଟା କଲା । ସେହିକ୍ଷଣି ହଠାତ୍ ତାର ମୁଣ୍ଡକୁ ସେ ଜଙ୍ଗଲ ପରୀଙ୍କ କଥା ଚାଲିଆସିଲା, ତେଣୁ ସେ ଜଙ୍ଗଲରୁ ମାଟି ମୁଠାଏ ଧରି ତିନିପାଦ ଆଗକୁ ଯାଇ କହିଲା :-

”ପରୀରାଣୀ ତୁମେ ଜଙ୍ଗଲ ରାଣୀ

ଦୁଃଖ ଯାହା ଅଛି କରଗୋ’ ପାଣି

ତୁମେ ବନଦୁର୍ଗା ସଙ୍ଗୀତ ଅଟ

ତୁମେହିଁ ତାରିବ ମୋର ସଂକଟ ।”

ଏପରି କଥା ଶୁଣି ହଠାତ୍ ଦୀର୍ଘକାୟ ସ୍ତ୍ରୀ ଲୋକଟିଏ ହୋଇ ପରୀରାଣୀ ସେଠାରେ ଆବିର୍ଭାବ ହେଲେ । ତାପରେ ସେ ରାଜୁକୁ ହସିହସି କହିଲେ – ତୋ ପ୍ରତି ହିଂସା କରି ତୋର ସାଙ୍ଗମାନେ ଏପରି ଫଳ ପାଉଛନ୍ତି । ତାହେଲେ ଏବେ ତୁ କାହିଁକି ସେମାନଙ୍କୁ ରକ୍ଷା କରିବା ପାଇଁ ମୋତେ ଡାକୁଛୁ? ସେମାନେ ସାପର ବେଷ୍ଟନୀ ଭିତରେ ଚାପିହୋଇ ମରିଗଲେ ତୋର କଣ କ୍ଷତି ହେବ? ଦୁଷ୍ଟଙ୍କୁ ସଜ୍ଜା ନ ମିଳିଲେ ସେମାନେ ଉପଯୁକ୍ତ ଶିକ୍ଷା କଦାପି ପାଇବେ ନାହିଁ ।

ଏଣେ ରାଜୁ ଭୋଭୋ ହୋଇ କାନ୍ଦି ଉଠିଲା । ସେ ଜଙ୍ଗଲ ପରୀ ଏକଥା ଦେଖି ହସି ହସି କହିଲେ, ପ୍ରକୃତରେ ତୁ ଅତି ପରୋପକାରୀ ପିଲା । ତୋ ମନରେ ଲେଶମାତ୍ର ବି ଏ ଦୁଷ୍ଟ ସାଙ୍ଗ ମାନଙ୍କ ପ୍ରତି ଆବିଳତା ନାହିଁ । ଖାସ୍ ସେଇଥିପାଇଁ ହିଁ ମୁଁ ତୋତେ ସର୍ବଦା ସାହାଯ୍ୟ କରିବା ପାଇଁ ଇଚ୍ଛୁକ । ତୋ ପାଖରେ ଶତ୍ରୁ ମିତ୍ର ସବୁ ସମାନ, ଏବେ ତୁ କହ ଏମାନଙ୍କୁ ମୁଁ ସାପ କବଳରୁ ମୁକ୍ତ କରିଦେବି କି?

ରାଜୁ ଏପରି କଥା ଶୁଣି ଅତି କାକୁତି ମିନତୀ ହୋଇ କହିଲା :-

ଅସହିଷ୍ଣୁ ହୋଇ ଭୁଲ୍ କରି ମୋତେ

ମାରିଲେ ମାଡ

ହେଲେବି ସେମାନେ ତାଙ୍କ ମାଆଙ୍କର

ଫୁଲର କଢ ।

ସାପ ହାବୁଡରେ ମୋର ସାଙ୍ଗମାନେ

ଅଛନ୍ତି ପଡି

କେବେ ହେଲେ ଏହି ବିପଦ ସମୟେ

ଯିବିନି ଛାଡି ।

ବିପଦର ବନ୍ଧୁ ପ୍ରକୃତ ବନ୍ଧୁଯେ,

ପାଇଛି ଶିକ୍ଷା

ମୁକ୍ତ ହୋଇ ଜାଣିପାରନ୍ତୁ

ପାଇଲେ ଜୀବନ ରକ୍ଷା ।”

ରାଜୁର ଏପ୍ରକାର କାକୁତି ମିନତୀ ଶୁଣି ସେ ଜଙ୍ଗଲ ପରୀ ହଠାତ୍ ତିନିଥର ତାଳି ବଜାଇ ଦେଲେ, ସେହିକ୍ଷଣି ସେ ସାପଟି କେଉଁ ଆଡେ ଉଭାଇଗଲା । ତାପରେ ଦୁଷ୍ଟ ଅହଂକାରୀ ପିଲାମାନେ ସାପର ଚାପୁଆଣି ଭିତରୁ ବାହାରି ଓହୋ ଓହୋ ହୋଇ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଲେ । ରାଜୁର ପାଦତ୍ତଳେ ପଡିଯାଇ ଦୁଷ୍ଟମାନେ କହିଲେ, ତୁ ଆଜି ଯାହା କରିଛୁ ଆମେ ସେ ଋଣ କେବେବି ଶୁଝି ପାରିବୁ ନାହିଁ ।

ଆମ ମାଆ ମାନଙ୍କ ପାଖକୁ ଆମେ କେବେବି ଯାଇପାରି ନଥାନ୍ତୁ । ତାପରେ ସେମାନେ ଆମକୁ ନ ପାଇ ନିଜ ନିଜ ଜୀବନ ହାରି ଦେଇଥାଆନ୍ତେ । ଆଜି ଆାମେ ଜାଣିଲୁ ଯେ, ତୁ ହେଉଛୁ ପ୍ରକୃତରେ ବିପଦର ବନ୍ଧୁ । ଆମେ ହିଂସାରେ ତୋତେ ମାରିଦେବାକୁ ଚାହିଁ ଥିଲୁ । ତାର ଫଳ ବି ଆମେ ପାଇଗଲୁ । ତୋର ସୁନ୍ଦର ବ୍ୟବହାର ଓ ଉପକାର ନିକଟରେ ଆମେ ନିଜକୁ ଘୃଣ୍ୟ ମନେ କରୁଛୁ । ପରିଶେଷରେ ଜଙ୍ଗଲ ପରୀ ଏ ଦୁଷ୍ଟ ପିଲାମାନଙ୍କୁ କହିଲେ :-

”ଜଣାପଡେ ପିଲାଦିନରୁ ଯାହାର ଉତ୍ତମ ଗୁଣ

ବିଶ୍ୱ ପ୍ରତି ସେବା ମନୋବୃତି ଯୋଗୁଁ ପାଏ ସମ୍ମାନ

ମଣିଷ ହେଲେବି ପୂଜା ପାଇଥାଏ ଦେବତା ପରି

ଶତ୍ରୁକୁ ସାହାଯ୍ୟ କରିଥାଏ ବହୁ ସାହସ ଧରି ।”

ଜଙ୍ଗଲ ପରୀଙ୍କୁ ସାଧାରଣ ସ୍ତ୍ରୀ ଲୋକଭାବି ସେ ରାଜୁର ସାଙ୍ଗମାନେ କହିଲେ – ତୁମେ କିଏ, କାହିଁକି ଆମକୁ ଏଭଳି ଉପଦେଶ ଦେଉଛ?

ଏପରି କଥା ଶୁଣି ରାଜୁ ସେ ପିଲାମାନଙ୍କୁ କହିଥିଲା –

”ସେ ମହାମାନବୀ ଦେବୀ ଅଟନ୍ତି

ଜଙ୍ଗଲର ପରୀ ବନେ ରହନ୍ତି ।

ଭାଗ୍ୟ ଭଲ ତାଙ୍କୁ ପାରିଲ ଦେଖି

ସାହାଯ୍ୟ କରନ୍ତି ଗୁଣ ପରଖି

ତୁମେ ଆଜିଠାରୁ ହୋଇଲେ ଭଲ

ବଳେ ଦେବେ ସିଏ ଉତ୍ତମ ଫଳ ।”

ତାପରେ ସମସ୍ତେ ତାଙ୍କ ପାଦତ୍ତଳେ ପଡି ନିଜକୁ ଭଲଭାବେ ଗଢିହେବେ ବୋଲି ଦୃଢ ପ୍ରତିଜ୍ଞା ହେଲେ । ଏଥୁଅନ୍ତେ ରାଜୁ ଏବଂ ତାର ସାଙ୍ଗମାନେ ମନ ଆନନ୍ଦରେ ନିଜ ନିଜ ଗୃହକୁ ଚାଲିଲେ । ସେଦିନ ସେ ଜଙ୍ଗଲ ଭିତରର ଘଟଣାକୁ ମନେ ପକାଇ ସେ ଦୁଷ୍ଟ ପିଲାମାନେ ଆଉ କେବେ ହେଲେ ବି ରାଜୁପ୍ରତି ହିଂସା ଆଚରଣ କଲେ ନାହିଁ । ଅନିଷ୍ଟ ଚିନ୍ତା ସେମାନେ ତାଙ୍କ ମନ ଭିତରୁ ସମ୍ପୂର୍ଣ୍ଣ ଭାବରେ ପୋଛି ଦେଲେ । ତାପରେ ରାଜୁ ସେମାନଙ୍କର ସବୁଠାରୁ ଭଲ ସାଙ୍ଗଟିଏ ହୋଇଗଲା ।

Comments

comments

Leave a Reply

Your email address will not be published. Required fields are marked *

Back to top button
X