Hi Everyone,
How are you doing. You can find other small stories in our Odia Short Story portal.This content is the diamond & soils stone both are equal. Because soil is the peice of soil, how much costly the diamond is their is also in soil. so when things are not use in work, what value of that thing so. It’s known that under the soil the property is like stone. you wil enjoy this odia story and will share with your friends and family.
ଗୋଟିଏ ରାଜ୍ୟରେ ଜଣେ କୃପଣ ମହାଜନ ରହୁ ଥିଲା । ସେ ନ ଖାଇ ନ ପିଇ କେବଳ ଧନ ଜମା କରିବାରେ ବ୍ୟସ୍ତ ଥାଏ । ପେଟ କାଟି କାଟି ଧନ ଜମା ରଖୁ ଥିଲା । ଧୀରେ ଧୀରେ ତା’ଘରେ ଧନ ଜମା ହେବାକୁ ଲାଗିଲା । ଏତେ ଧନ ହୋଇ ଗଲା ଯେ ତା’କୁ ରଖିବାକୁ ତା’ପାଖରେ ଜାଗା ନ ଥିଲା । କାରଣ ସେତେ ବେଳେ ତ ଆଜି କାଲି ଭଳିଆ ବ୍ୟାଙ୍କ ନଥିଲା । ତେଣୁ ଯାହା ଧନ ସମ୍ପତ୍ତିକୁ ହିଁ କେବଳ ଘର ଭିତରେ ରଖା ଯାଉ ଥିଲା । ସେ ଭାବିଲା ଏତେ ଧନ ଯଦି ଚୋର ଆଖିରେ ପଡେ ତ କଥା ସରିଲା, ସବୁ ଧନ ଏକାଥରକେ ରଫୁଚକ୍କର ହୋଇ ଯିବ । ତେଣୁ ଏତେ ଧନକୁ କିଭଳି ରକ୍ଷା କରିବ ଏ କଥା ନେଇ ସେ ଚିନ୍ତିତ ଥିଲା ।
ଶେଷରେ ତା’ ମନରେ ଗୋଟିଏ ଉପାୟ ଆସିଲା । ସେ ନିଜର ସବୁ ଧନ ସମ୍ପତ୍ତିକୁ ବିକ୍ରି କରି ଗୋଟିଏ ମୂଲ୍ୟବାନ୍ ହୀରା କିଣିଲା – ଏବଂ ମନରେ ଟିକେ ସନ୍ତୋଷ ପ୍ରକାଶ କରି ଭାବିଲା ଯାହା ହେଉ ଚିନ୍ତା ଗଲା । ତେଣୁ ଚୋର ଆଉ କ’ଣ ଚୋରି କରିବ ଯେ ତା’ ପାଖରେ ଅଛି । ଚୋର ଏଭଳି ଜିନିଷକୁ ଚୋରି କରେ ଯାହା ତା’ ଆଖିରେ ଦେଖା ଦେଇ ଥାଏ । ବର୍ତ୍ତମାନ ତ ସେମିତି ଆଖିଦୃଶିଆ ଜିନିଷ କିଛି ତା’ ପାଖରେ ନାହିଁ ତେବେ ଆଉ କ’ଣ ଚୋର ଚୋରି କରିବ । ଏଥର ଚିନ୍ତା ପଶିଲା କୃପଣ ମହାଜନର ମୁଣ୍ଡରେକି ସେ ଏତେ ମୂଲ୍ୟବାନ୍ ହୀରାକୁ କେଉଁଠି ରଖିବ ।
ବହୁତ ଭାବି ଚିନ୍ତି ସେ ସେହି ହୀରାକୁ ନିଜ ଘର ମେଜିଆ ଖୋଳି ମାଟି ତଳେ ପୋତି ରଖିଲା । ହେଲେ କ’ଣ ହେବ ତା’ମନ କୌଣସି କାମରେ ଲାଗୁ ନଥିଲା । ତେଣୁ ସେ ଅଭ୍ୟାସ କରି ପ୍ରତି ଦିନ ସେହି ଗାତ ଖୋଳି ସେହି ହୀରାକୁ ବାହାର କରି ଟିକିଏ ଦେଖି ପୁଣି ସେହି ହୀରାକୁ ଗାତ ଭିତରେ ପୂରାଇ ଗାତକୁ ଭଲ ଭାବରେ ବନ୍ଦ କରି ଦିଏ । ମହାଜନ ମନେ ମନେ ଭାବିଲା ଏଭଳି ଯାଗାକୁ ତ ଚୋର ମାନେ ଜାଣି ପାରିବେ ନାହିଁ ପୁଣି ଚୋରୀ ହେବ କେମିତି?
ମହାଜନ ପାଖରେ ଜଣେ ସେବକ ଥିଲା । ସେ ଅତି ଚାଲାକ୍ ତଥା ଧୂରନ୍ଧର ଥିଲା । ସେ ସବୁ ଦିନ ମହାଜନର ଗତିବିଧିକୁ ଲକ୍ଷ୍ୟ ରଖୁ ଥିଲା । ସେ ଦେଖିଲା ଯେ ମହାଜନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ନିଜ ଘର ଭିତରେ ପଶି ଘଂଟାଏ କାଳ କ’ଣ କରୁଛି? ଏହି କଞ୍ଜୁସ୍ ମକ୍ଷୀଚୁସ୍ ଏତେ ଧନକୁ କେଉଁଠି ରଖିଛି ତା’ର ମଧ୍ୟ କିଛି ଠିକ୍ ଠିକଣା ନାହିଁ । ଏତେ ସମ୍ପତ୍ତିକୁ ଗୋଟିଏ ଦିନ ଭିତରେ ଏହି ମହାଜନ କୁଆଡେ ଉଭାନ୍ କରି ଦେଲା । ବୋଧହୁଏ ମହାଜନ ସେହି ଘର ଭିତରେ ଲୁଚେଇ ରଖିଛି ନିଶ୍ଚୟ । ମୋତେ ଥରେ ଏହାର ଯାଂଚ କରିବାକୁ ପଡିବ ଯେ କଥା କ’ଣ?
ବାସ୍ ଏହି କଥାକୁ ମନେ ମନେ ରଖି ଥିଲା ସେହି ସେବକ ଜଣକ । ଦିନେ ମହାଜନ୍ ନିଜର ବେପାର ପାଇଁ ଦାସକୁ ଘରେ ରଖି ବାହାରକୁ ଯାଇ ଥାଏ । ଦାସ ଜଣକ ତ ଏହି ସମୟକୁ ଅପେକ୍ଷା କରି ରହି ଥିଲା । ମହାଜନଟି ଘରୁ ଗୋଡ କାଢିବା ସଂଗେ ସଂଗେ ସେ ସେବକଟି ତୁରନ୍ତ ଯାଇ ସେହି ଘରେ ପହଁଚିଲା ଏବଂ ତନ୍ନ ତନ୍ନ କରି ଖୋଜିବାକୁ ଲାଗିଲା । ଦେଖିଲା ଯେ ଗୋଟିଏ ଯାଗାରେ ଖୋଳା ହେବାର ଚିହ୍ନ ରହିଛି । ସେ ଆଉ କାଳ ବିଳମ୍ବ ନ କରି ସେହି ସ୍ଥାନକୁ ଖୋଳିବାକୁ ଲାଗିଲା ଏବଂ କିଛି ସମୟ ପରେ ସେହି ମୂଲ୍ୟବାନ୍ ଚକ୍ ଚକ୍ କରୁଥିବା ହୀରାଟିକୁ ଦେଖିବାକୁ ପାଇଲା । ସେ ହୀରାଟିକୁ ପାଇ ଅତି ଆନନ୍ଦିତ ହୋଇ ସେଠାରୁ ସଂଗେ ସଂଗେ ଉଭାନ୍ ହୋଇ ଗଲା । ସେ ମନେ ମନେ ଭାବିଲା ଯାହା ହେଉ ଆଜି ମୋର ମନୋବାଂଛା ପୂର୍ଣ୍ଣ ହେଲା ।
ମହାଜନ ତା’ପରଦିନ ଘରକୁ ଆସି ଦେଖିଲା ଯେ, ଜିନିଷ ପତ୍ର ସବୁ ଏପଟେ ସେପଟେ ଛିନ୍ଛତ୍ର ହୋଇ ପଡିଛି । ଦରଜା କବାଟ ସବୁ ଠିଆ ମେଲା ହୋଇ ପଡିଛି । ସେ ତା ନିଜ ଘରର ଏଭଳି ପରିସ୍ଥିତି ଦେଖି ତାଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ କିଛି । ସେ ତୁରନ୍ତ ନିଜ ଘର ଭିତରେ ପଶି ଦେଖିଲା ଯେ ସେ ଯେଉଁଠାରେ ହୀରା ରଖି ଥିଲା ତାହାର ମାଟି ସବୁ ଖୋଳା ହୋଇ ପଡିଛି । ସେ ହୀରାକୁ ନ ପାଇ ପାଗଳା ପ୍ରାୟ ହୋଇ ଗଲା । ସେ କହିଲା – ମୁଁ ବରବାଦ୍ ହୋଇ ଗଲି, ମୋର ସବୁ କିଛି ସରି ଗଲା ଇତ୍ୟାଦି କହି କାନ୍ଦିବାକୁ ଲାଗିଲା । ସେ ଘର ସାରା ମେଜିଆକୁ ଖୋଳି ପକାଇଲା କିନ୍ତୁ କୋଉଠି ହୀରା ଥିଲେ ସିନା ସେ ପାଇବ, ଏଣେ ହୀରା ତ ତାଙ୍କ ଦାସ ନେଇ ପଳେଇଛି । ସେ କହିବାକୁ ଲାଗିଲା – କିଏ ମୋର ମୂଲ୍ୟବାନ୍ ହୀରା ନେଇ ଚାଲି ଗଲା । ତା’ର ବଂଶ ଲୋପ ହେଉ । ମୁଁ କେତେ କଷ୍ଟରେ ଏହି ହୀରାକୁ କିଣି ଥିଲି । କେତେ ଅଖିଆ ଅପିଆ ହୋଇ ଏହି ହୀରାକୁ କିଣି ଥିଲି । ମୋ ପୋଡା କପାଳ କିଏ ନେଇ ଚାଲି ଗଲା ଏହି ମୂଲ୍ୟବାନ୍ ହୀରାଟିକୁ ଇତ୍ୟାଦି । ସେ ଛାତି ପିଟି ପିଟି କାନ୍ଦିବାକୁ ଲାଗିଲା ।
ପଡୋଶୀ ମାନେ ତାଙ୍କର ଏଭଳି ଅବସ୍ଥା ଦେଖି ପଚାରିଲେ କଥା କ’ଣ? ମହାଜନ ମୁଣ୍ଡ ପିଟି ପିଟି ଉତ୍ତର ଦେଲା – ମୁଁ ବରବାଦ୍ ହୋଇ ଗଲି, ମୋର ସବୁ ସରି ଗଲା । ମୁଁ ମୋ ସମସ୍ତ ସମ୍ପତ୍ତିକୁ ବିକ୍ରି କରି ଗୋଟିଏ ମୂଲ୍ୟବାନ୍ ହୀରାଟିକୁ କିଣି ଥିଲି । ମୁଁ ସେହି ହୀରାକୁ ଘର କୋଣରେ ରଖି ଥିଲି । କିନ୍ତୁ କେଉଁ ପାପୀ, ଅଧମ, ଦୁଷ୍ଟ, ଚୋର ମୋର ସେହି ଦାମିକା ହୀରାକୁ ଚୋରି କରି ନେଇ ଯାଇଛି ମୁଁ ଜାଣି ପାରୁ ନାହିଁ ।
ପଡୋଶୀ ଜଣକ ସଂଗେ ସଂଗେ ଗୋଟିଏ ମାଟି ଉପରୁ ପଥର ଖଣ୍ଡଟିଏ ମହାଜନଙ୍କ ହାତକୁ ବଢେଇ ଦେଇ କହିଲା – ଏଭଳି ପାଟି କରି କାନ୍ଦିବାର ଆବଶ୍ୟକତା କ’ଣ ଅଛି? ନିଅନ୍ତୁ ଏହାକୁ ହୀରା ସ୍ଥାନରେ ପଥରକୁ ରଖି ଦିଅନ୍ତୁ ।
ମହାଜନ ଛାତି ପିଟି ପିଟି କହିଲା – ମୋ ସହିତ କ’ଣ ଆପଣ ମାନେ ଥଟ୍ଟା କରୁଛନ୍ତି? ମୁଁ ଜୀବନ ସାରା ଏତେ ପରିଶ୍ରମ କରି ନ ଖାଇ, ନ ପିଇ ପେଟ କାଟି କାଟି ଏହି ମୂଲ୍ୟବାନ୍ ହୀରାକୁ କିଣି ଥିଲି । ଆପଣ ମାନେ ଟିକିଏ ଭାବନ୍ତୁ ତ କାହିଁ ସେହି ମୂଲ୍ୟବାନ୍ ହୀରା ଆଉ ଏ ପଥର । ଆକାଶ ପାତାଳର ତଫାତ୍ । ଆକାଶ କଇଁୟା, ଚିଲିକା ମାଛ ପରି ।
ପଡୋଶୀ ମାନେ କହିଲେ – ଆମେ ମାନେ ଆପଣଙ୍କ ସହିତ ଥଟ୍ଟା କରୁ ନାହୁଁ, କାରଣ ଆପଣ ହୀରାକୁ କେବଳ ଦେଖୁ ଥିଲେ, କିନ୍ତୁ କିଛି କାମରେ କ’ଣ ଲଗାଉ ଥିଲେ କି? ବର୍ତ୍ତମାନ ହୀରା ବଦଳରେ ଏହି ପଥର ଖଣ୍ଡିକ ଦେଖନ୍ତୁ । ହୀରା ଭଳି ଏହି ପଥରର ମଧ୍ୟ କିଛି କାର୍ଯ୍ୟ ନାହିଁ । ଯେଉଁ ପଦାର୍ଥ ମାଟି ତଳେ ପୋତା ହୋଇ ରହି ଥାଏ, ତାହାର ମୂଲ୍ୟ ବା କ’ଣ? ଯେଉଁ ଧନ ସମ୍ପତ୍ତି ଆପଣଙ୍କର ଦରକାର ବେଳେ କର୍ମରେ ଆସିବ ତାକୁହିଁ ଅସଲି ଧନ କୁହାଯିବ । ଯାହା ଖାଇବା ପିଇବାରେ ସାହାଯ୍ୟ କରେ ତାକୁ ହିଁ ଧନ କୁହା ଯିବ । ତେଣୁ ହୀରା କ’ଣ ଖାଇବା ପିଇବାରେ ସାହାଯ୍ୟ କରୁ ଥିଲା । ତେଣୁ ହୀରା ଆଉ ମାଟିର ପଥର ଖଣ୍ଡ ସବୁ ସମାନ । କାରଣ ମାଟି ଖଣ୍ଡ ମାଟିରେ ରହେ ହୀରା ମଧ୍ୟ ଏତେ ଦାମିକା ହେଲେ କ’ଣ ହେବ ସେ ମଧ୍ୟ ମାଟିରେ ରହୁ ଥିଲା । ତେଣୁ ଯେଉଁ ଧନ କର୍ମରେ ଆସେ ନାହିଁ ତା’ର ମୂଲ୍ୟ ବା କ’ଣ?
ଏଥର ମହାଜନ ବୁଝି ଗଲେ ଯେ ମାଟି ତଳେ ପୋତା ଧନ ପଥର ସହ ସମାନ ।