Odia Short Story

New Odia Short Story Jathartha Bara

Download Odia Books Online

Hello Everyone,

Today we are publishing another odia short story. You can find other small stories in our Odia Short Story portal. This story is based on a good content. This content is about true speech. There is provide a true word in appropriate work. This story is beneficial. you wil enjoy this story and will share with your friends and family.

Odia Short Story Jathartha Bara
                                                              Odia Short Story Jathartha Bara

ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ, ଶବସ୍ଥିତ ବେତାଳ କହିଲା, ”ରାଜନ୍, ତୁମର କଠୋର ବ୍ରତ ଓ ନିଷ୍ଠାକୁ ମୁଁ ହୃଦୟର ସହିତ ଅଭିନନ୍ଦନ କରଛି, ଏହି ଘୋର ଶ୍ମଶାନରେ ବିଷଧର ସର୍ପ, ଶୃଗାଳ, ବାଦୁଡି ପ୍ରଭୃତି ଜନ୍ତୁ ଭରି ରହିଛନ୍ତି । ଏହାଛଡା ନାନା ପ୍ରକାରର ଭୂତ ପ୍ରେତ, ପିଶାଚ ମଧ୍ୟ ଏଠାରେ ରହିଛନ୍ତି । ତୁମକୁ ଟିକିଏ ମଧ୍ୟ ସ୍ପର୍ଶ କରୁନାହିଁ । ସାହସ, ବୀରତ୍ୱ, କଠୋର ବ୍ରତ ଇତ୍ୟାଦି ନିଶ୍ଚୟ ତୁମର ନିଜସ୍ୱ ସଦୃଶ । କିନ୍ତୁ ଏପରି କଠୋର ପରିଶ୍ରମ କରୁଛ ବୋଧହୁଏ ଜଣେ ତାନ୍ତ୍ରିକ ସହିତ ବନ୍ଧୁତ୍ୱ କରି କିଛି ଅଭିଳାଷ ପୁରଣ କରିବାକୁ । କିନ୍ତୁ ସାବଧାନ, ତୁମକୁ ହୁଏତ ଶେଷରେ ନିରାଶ ହେବାକୁ ପଡିବ । ନିଜର ପରିଶ୍ରମକୁ ସାଫଲ୍ୟମଣ୍ଡିତ ନ ଦେଖିଲେ ତୁମେ ନିଜେହିଁ ଦୁଃଖିତ ହେବ । ଏମିତି ପ୍ରାୟ ଘଟେ । ତେଣୁ ଏ ସମ୍ପର୍କରେ ସଚେତନ କରାଇ ଦେବାକୁ ମୁଁ ତୁମକୁ ମାତଙ୍ଗ ମୁନିଙ୍କ କାହାଣୀ ଶୁଣାଇବି । ମନ ଦେଇ ତାହା ଶୁଣ; ତଦ୍ୱାରା ତୁମ ଶ୍ରମଭାର କିଛି ମାତ୍ରାରେ ଲାଘବ ହେବ ।” ତା’ପରେ ସେ ବେତାଳ ଗପିଲା –

ଅନେକ ଦିନ ତଳର କଥା । ନବନୀତ ନାମରେ ଜଣେ ଧନୀ ଦକ୍ଷିଣ ସମୁଦ୍ରତଟରେ ବାସ କରୁଥିଲେ । ସମୟକ୍ରମେ ପରିସ୍ଥିତି ଏପରି ହେଲା ଯେ ତାଙ୍କର ସମସ୍ତ ସମ୍ପତ୍ତି ଧିରେ ଧିରେ ନଷ୍ଟ ହୋଇଗଲା । ତାଙ୍କର ପୁଅଟିଏ ଥାଏ । ପୁଅଟିକୁ ଏକୋଇଶ ବର୍ଷ ହେବା ବେଳକୁ ତାଙ୍କର ଆଉ କିଛି ସମ୍ପତ୍ତି ନଥାଏ । ନବନୀତ ବଡ ଶୋକଗ୍ରସ୍ତ ହୋଇ ପୁଅ ସୀତାରାମଙ୍କୁ ଦିନେ ନିଜ ପାଖକୁ ଡାକି କହିଲେ, ”ପୁଅ, କେବଳ ମୋର ଦୁରାଶା ଯୋଗୁଁ ଆଜି ଆମର ଏପରି ଖରାପ ଅବସ୍ଥା ହୋଇଛି । ମାତ୍ର ମୁଁ ଚାହେଁ ଯେପରି ତୋ ଜୀବନରେ ଏହି ଘଟଣା କେବେବି ନ ଘଟୁ । ଆଜି ଭଲଦିନ । ତେଣୁ ତୁ ଭଲ ଭାବରେ ସ୍ନାନ କରି ପବିତ୍ର ହୋଇ ମୋ ପାଖକୁ ଆସେ, ମୁଁ ତୋତେ କିଛି ବତାଇ ଦେବି ।”

ସୀତାରାମ ସ୍ନାନ କରିବାକୁ ଯିବାବେଳେ ତା’ର ମା’ ରଜନୀ ତାକୁ କହିଲେ କି, ”ମୁଁ ତତେ ଏହା କହିବାକୁ ଭୁଲିଗଲି ଯେ ଆଜି ପବିତ୍ର ସପ୍ତମୀ ବୋଲି । ତୁ ସ୍ନାନ କରିବା ବେଳେ ଆଖୁ ପତ୍ର ଓ ବେଲ ମଥା ଉପରେ ରଖି ପାଣିରେ ବୁଡିବୁ ।

ସୀତାରାମ ପତ୍ର ଓ ଫଳ ଖୋଜୁ ଖୋଜୁ ଏଣେ ତା’ ପିତା ଅର୍ଥାତ ନବନୀତଙ୍କର ମୃତ୍ୟୁ ହୋଇଗଲା । ଫଳରେ ରଜନୀ ଓ ସୀତାରାମ ବହୁତ କାନ୍ଦିଲେ । ପରଦିନହିଁ ଋଣଦାତାମାନେ ସେମାନଙ୍କୁ ହଇରାଣ କଲେ । ସେମାନେ କହିଲେ, ନବନୀତ କହିଥିଲେ କି ସପ୍ତମୀ ପରଦିନ ତାଙ୍କ ପୁତ୍ର ସମସ୍ତ କରଜ ଶୁଝି ଦେବ ।

ବିଚାରା ସୀତାରାମ ବହୁତ ବୁଝାଇଲା କି ତା’ର ପିତା ସପ୍ତମୀରେ ତାକୁ କିଛି ଗୁପ୍ତକଥା କହିବାର ଥିଲା, ହେଲେ ତା’ ପୂର୍ବରୁ ସେ ମରିଗଲେ, କିନ୍ତୁ ଋଣଦାତାମାନେ ତ ନଛୋଡବନ୍ଧା ।”

ଋଣଦାତାମାନଙ୍କ ମଧ୍ୟରେ ରମଣ ନାମରେ ଜଣେ ବ୍ୟକ୍ତି ଥିଲେ, ସେ କହିଲେ ଯେ ନବନୀତ ତାଙ୍କ ପାଖରେ ଘର ବନ୍ଧକ ରଖିଛନ୍ତି । ସେ ଅନ୍ୟମାନଙ୍କୁ କହିଲେ, ”ଭାଇମାନେ, ତୁମର ତ ଅଳ୍ପ ପରିମାଣର ଟଙ୍କାସବୁ ଅଛି । ହେଲେ ମୋ ନାମରେ ତ ଘର ଅଛି । ତେଣୁ ଘର ବିକ୍ରି କରି ତୁମମାନଙ୍କୁ ମଧ୍ୟ ସେଇଥିରୁ ଋଣ ପରିଶୋଧ କରିଦେବାର ବ୍ୟବସ୍ଥା କରିବି । ଠିକ୍ ଅଛି?”

ସମସ୍ତେ ତାଙ୍କ କଥାରେ ମଙ୍ଗିଗଲେ । ରମଣ ସୀତାରାମଙ୍କୁ କହିଲେ, ”ମୁଁ ତୁମକୁ ଗୋଟିଏ ଦିନ ଦେଉଛି । ସେହି ସମୟ ମଧ୍ୟରେ ତୁମେ ନିଜକୁ ପ୍ରସ୍ତୁତ କରି ରଖିବ । କାଲି ଏତିକି ବେଳକୁ ଆମେମାନେ ଆସିବୁ । ତୁମେ ଘର ଛାଡି ଚାବି ମୋ ହାତରେ ଦେଇ ଚାଲିଯିବ ।” ଏତିକି କହି ସେମାନେ ସେଠାରୁ ଚାଲିଗଲେ ।

ସେମାନେ ଯିବାପରେ ଦୁଃଖୀ ରଜନୀ ପୁଅକୁ ସାନ୍ତ୍ୱନା ଦେଇ କହିଲେ, ”ପୁଅ, ସମୟ ବଡ ଖରାପ, ଆମ ଉପରେ ବଡ ବିପଦ ପଡିଛି । ଘରର ଆଟୁ ଉପରେ ଆମ ବଂଶର ଅନେକ ପୁରୁଣା ଜିନିଷ ଓ କାଠର ଏକ ପେଟି ଅଛି । ସେଇଟିକି ନେଇ ଆମେ ଚାଲିଯିବା । ଆଉ କିଛି ତ ନେବା କଷ୍ଟ ।”

ମା’ଠାରୁ ଏକଥା ଶୁଣି ସୀତାରାମ ଆଟୁ ଉପରେ ଚଢି ଦେଖିଲା ସେହି କାଠପେଟି ଭିତାରେ ଗୋଟିଏ ମାତ୍ର ପୋଥି ଅଛି । ଆଉ କିଛି ନାହିଁ । ଚାରିପଟେ ଭଙ୍ଗା ଆଜେବାଜେ ଜିନିଷସବୁ ପଡିଛି । ସୀତାରାମ ଆଗ୍ରହୀ ହୋଇ ପୋଥି ଖୋଲି ପଢିଲା । ସେଥିରେ ତାଙ୍କ ବଂଶଲତା ବିଷୟରେ ଲେଖା ଅଛି । ତାଙ୍କ ବଂଶର ଇତିହାସ ଲେଖା ହୋଇଛି । ତାହା ସୀତାରାମ ଜନ୍ମ ପର୍ଯ୍ୟନ୍ତ ଅଛି, ତା’ଠାରୁ ଆଉ ଆଗକୁ ନାହିଁ । କିନ୍ତୁ ଗୋଟିଏ ସ୍ଥାନରେ ଲେଖା ହୋଇଛି ଯେ ‘ବାଦରାୟଣ’ ମନ୍ତ୍ରକୁ ତିନିବାର ଜପିଲେ ସମ୍ମୁଖରେ ଥିବା ବଡ ଶତ୍ରୁ, ମଧ୍ୟ ମିତ୍ରରେ ପରିଣତ ହୋଇଯିବ । ଏହା ଏହି ପରିବାରର ବିଶେଷତ୍ୱ ଓ ମନ୍ତ୍ର ମଧ୍ୟ ।

ଏହା ବ୍ୟତୀତ ସେଥିରେ ଆଉ କିଛି ଲେଖା ନଥିଲା । କିନ୍ତୁ ସେଥିରେ ସାବଧାନ କରିଦିଆଯାଇଥିଲା ଯେ ”ବାଦରାୟଣ” ମନ୍ତ୍ର ମୃତ୍ୟୁର ପୂର୍ବ ପର୍ଯ୍ୟନ୍ତ କାହାକୁ ମଧ୍ୟ କହିବ ନାହିଁ । ଏବେ ସୀତାରାମ ବୁଝିଗଲା ଯେ ତା’ର ପିତା ତାକୁ କାହିଁକି ମୃତ୍ୟୁ ପୂର୍ବରୁ ନିଜ ପାଖକୁ ଡାକୁଥିଲେ । ଆଟୁ ଉପରୁ ସୀତାରାମ ବଡ ଗମ୍ଭୀର ହୋଇ ଓହ୍ଲାଇଲା ଓ ସିଧା ଯାଇ ରମଣ ଘରକୁ ଗଲା । ଯିବା ବେଳେ ସେ ମନକୁ ମନ ସେହି ମନ୍ତ୍ରଟିକୁ ତିନିଥର ଉଚ୍ଚାରଣ କଲା ।

ରମଣ ତାକୁ ଦେଖି ଅତି ଆଦରରେ ପାଛୋଟି ନେଲେ ଓ କହିଲେ, ”ତୁମ ପିତା ଜଣେ ମହାନ୍ ବ୍ୟକ୍ତି ଥିଲେ, ଅକାରଣରେ ତୁମକୁ ହଇରାଣରେ ପଡିବାକୁ ହେଲା, ମୋତେ କୁହ ତୁମର ଏବେ କ’ଣ ଦରକାର । ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି ।”

ସୀତାରାମ କହିଲା ”ମୋର କରଜ ସବୁର କିଛି ବନ୍ଦୋବସ୍ତ କରି ସେ କଷ୍ଟରୁ ମୋତେ ଉଦ୍ଧାର କର ।”

ରମଣ କହିଲେ ”ଭଗବାନଙ୍କ କୃପାରୁ ମୋର କିଛି ସମ୍ପତ୍ତି ଅଛି । ମୁଁ ସେଥିରୁ ତୁମର ଛୋଟ ଛୋଟ କରଜ ଶୁଝି ଦେବି । ମୋ କରଜ ଶୁଝିବା ପାଇଁ ତୁମେ ଆଦୌ ବ୍ୟସ୍ତ ହୁଅନା । ଶାନ୍ତିରେ ରହ । ଟଙ୍କା ହାତରେ ହେଲେ ଶୁଝିବ ।”

ଏବେ ତାଙ୍କର ଘର ସୁରକ୍ଷିତ ରହିଲା ଓ କଷ୍ଟରୁ ମଧ୍ୟ ତାଙ୍କୁ ମୁକ୍ତି ମିଳିଲା । ତା’ପରେ ସେ ଗ୍ରାମର ଦୋକାନୀ ମଦନ ପାଖକୁ ଗଲା । ସେତେବେଳେ ବାଟରେ ସେ ମନ୍ତ୍ରଜପ କଲା । ଦୋକାନୀ ତାକୁ ଦେଖୁ ଦେଖୁ ଖୁସିହୋଇ କହିଲା, ”ତୁମର ଯାହା ଯେତେବେଳେ ଦରକାର ତାହା ମୁଁ ଦେବି । ପଇସା ପଛେ ପରେ ଦେବ ।”

ଏହିପରି କିଛି ଦିନ ବିତିଗଲା । ଦିନେ ରାତିରେ ସୀତାରାମ ଘରେ ଡାକୁଟିଏ ଆସି ତାକୁ ଛୁରୀ ଦେଖାଇଲା । ସୀତାରାମ କୌଣସି ପ୍ରକାର ଭୟ ନ କରି ସେହି ମନ୍ତ୍ରଟିକୁ ତିନିଥର ଜପି ଅଳ୍ପ ହସିଦେଲା । ଡାକୁ ଅବାକ୍ ହୋଇଗଲା । ତା’ର ହୃଦୟ ସେହିକ୍ଷଣି ପରିବର୍ତ୍ତନ ହେଲା । ସେ କହିଲା, ”ମୋର ନିଜର ବୋଲି କେହିବି ନାହିଁ । ଆଜିଠାରୁ ତୁମେ ମୋର ଭାଇ ହେଲ । ମୁଁ ଚୋରୀ ଛାଡିଦେବି ଓ କିଛି କାମ କରି ନିଜ ପେଟ ପୋଷିବି ।” ଏତିକି କହି ସେ ଚୋର ସେଠାରୁ ତତ୍କ୍ଷଣାତ୍ ଚାଲିଗଲା ।

ତା’ପରେ ରଜନୀ ସୀତାରାମକୁ ପଚାରିଲେ, ”ମୋତେ ତ ଏ ସବୁକିଛି ବଡ ଅଜବ ଲାଗୁଛି । ତୁ କ’ଣ କେଉଁଠୁ ବଶୀକରଣ ମନ୍ତ୍ର ପାଇଛୁ କି?”

ସୀତାରାମ ମାଙ୍କୁ ବୁଝାଇ କହିଲା ”ନାହିଁ ତ? ମୁଁ ସେପରି କିଛି ମନ୍ତ୍ର ଜାଣେନାହିଁ । ମୁଁ ଭାବୁଛି ବୋଧେ ମୋର ସ୍ୱର୍ଗତ ପିତା ଆମର ସହାୟତା କରୁଛନ୍ତି ।”

ଦିନେ ମାତଙ୍ଗ ନାମକ ଜଣେ ତାନ୍ତ୍ରିକ ସେହି ଗ୍ରାମକୁ ଆସିଲେ । ସେ ଅନେକ ଲୋକଙ୍କୁ ନାନା ପ୍ରକାରରେ ସାହାଯ୍ୟ କଲେ । ଲୋକେ କହିଲେ ତାଙ୍କ ଦ୍ୱାରା ଅସାଧ୍ୟ କିଛିବି ନାହିଁ । ”ମନ୍ତ୍ର ଜପି ତାନ୍ତ୍ରିକଙ୍କୁ ମୋର ଅଧୀନ କରି ଦେବି ତ ମୋର ଆଉ ଅସାଧ୍ୟ କିଛି ରହିବ ନାହିଁ ।” ଏହିକଥା ମନରେ ସ୍ଥିର କରି ସୀତାରାମ ଦିନେ ସେ ମୁନିଙ୍କ ପାଖରେ ପହଁଚି ବାଦରାୟଣ ମନ୍ତ୍ର ଜପିଲା ।

ମାତଙ୍ଗ ତାକୁ ଅତି ପ୍ରସନ୍ନ ହୋଇ କହିଲେ, ”ତୁମେ ତ ବଡ ଭାଗ୍ୟବାନ୍; ତୁମପାଇଁ ମୋର ସହାୟତା କ’ଣ ଦରକାର?”

ସୀତାରାମ ହାତଯୋଡି ବିନୀତ ହୋଇ କହିଲା ”ମହାନୁଭବ, ମୋର ସାଧାରଣ ଇଚ୍ଛାସବୁ ତ ସାଧାରଣ ଲୋକମାନେ ପୂର୍ଣ୍ଣ କରିବାରେ ସହାୟତା କରୁଛନ୍ତି । କିନ୍ତୁ ଆପଣଙ୍କ ପରି ମହାପୁରୁଷ, ମୋର ସହାୟତା କଲେ ମୋର ଅସାଧାରଣ ଇଚ୍ଛାସବୁ ମଧ୍ୟ ପୂର୍ଣ୍ଣ ହୋଇ ପାରିବ ।”

ତାଙ୍କର ଏଭଳି କଥାରେ ସେ ତାନ୍ତ୍ରିକ ଅଳ୍ପ ହସି କହିଲେ, ”ତା’ ପୂର୍ବରୁ ମୋର ଜୀବନ କାହାଣୀ ଶୁଣ । ମୁଁ ଏହି ପୃଥିବୀର ସମ୍ରାଟ ହେବାକୁ ଚାହିଁଥିଲି । ତେଣୁ ହିମାଳୟକୁ ଯାଇ ସେଠାରେ ଘୋର ତପସ୍ୟା କଲି । ଭଗବାନ୍ ପ୍ରତ୍ୟକ୍ଷ ହେଲେ । ତା’ପରେ ମୁଁ ମୋର ଇଚ୍ଛା ତାଙ୍କ ଆଗରେ ପ୍ରକାଶ କଲି ।

ମୋକଥା ଶୁଣି ଭଗବାନ୍ କହିଲେ, ”ଏବେ ଯିଏ ସମ୍ରାଟ ଅଛନ୍ତି ସେ ବଡ ଭଲ ଲୋକ । ସେ ସେଥିପାଇଁ ଯୋଗ୍ୟ ମଧ୍ୟ । ତୁମ ପାଇଁ ତାହା କେବେବି ନ୍ୟାୟସଙ୍ଗତ ହେବ ନାହିଁ ।”

ତାଙ୍କ କଥା ଶୁଣି ମୁଁ କହିଲି ”ମୁଁ ମଧ୍ୟ ଜଣେ ଭଲ ଲୋକ, ମୁଁ ବି ସେହି ପଦ ପାଇଁ ଯୋଗ୍ୟ ।”

ଭଗବାନ୍ ମୋତେ କହିଲେ ”ତୁମେ ଯେ ଜଣେ ଭଲ ମଣିଷ, ତା’ର ତ କିଛି ପ୍ରମାଣ ନାହିଁ । ତୁମେ ତ ସମ୍ରାଟ ହେବାର ଇଚ୍ଛା ନେଇ ତପସ୍ୟା କରିଛ ମାତ୍ର ସମ୍ରାଟ ହେବାର ମାର୍ଗ ତପସ୍ୟା ନୁହେଁ । ଶକ୍ତି ସାମର୍ଥ୍ୟ ଯୋଗୁଁ କେହି ହେଲେ ମଧ୍ୟ ସେଥିପାଇଁ ଯୋଗ୍ୟ ହୁଏ । ସେଥିପାଇଁ ସାଧନ ତପସ୍ୟାର ମାର୍ଗ ତୃଟିପୂର୍ଣ୍ଣ ।” ତା’ପରେ ମୁଁ ପଚାରିଲି, ”ତେବେ ମୋର ଏହି ତପସ୍ୟାର ପ୍ରୟୋଜନ କ’ଣ?”

ଏକଥା ଶୁଣି ଭଗବାନ କହିଲେ, ”ଏହି ତପସ୍ୟାରୁ ତୁମକୁ ଅନେକ ଅଦ୍ଭୁତ ଶକ୍ତି ସବୁ ମିଳି ସାରିଛି ।”

ମୁଁ କହିଲି ”ତେବେ ସେହିସବୁ ଅଦ୍ଭୁତ ଶକ୍ତିକୁ ପ୍ରୟୋଗ କରି ମୁଁ ସମ୍ରାଟ ହେବି ।”

”ମନୁଷ୍ୟ ତା’ର ସବୁଶକ୍ତି କେବଳ ନିଜ ପାଇଁ ପ୍ରୟୋଗ ନ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ପ୍ରୟୋଗ କରିବା ଉଚିତ୍ । ନିଜର ଆବଶ୍ୟକତାର ସୀମା ଟପି ଯାଇ ଅତ୍ୟଧିକ ଦୂରାଶା କରିବାଟା ଅନୁଚିତ୍ । ତେବେ ସେଥିପାଇଁ ନିଜେ ଯାହା ଲାଭ ପାଇଥିବ, ଶେଷରେ ତା’ର ଦଶଗୁଣ କ୍ଷତି ତୁମକୁହିଁ ସହିବାକୁ ପଡିବ । କେହି ଆମକୁ ସାହାଯ୍ୟ କଲା ତ ଆମେ ମଧ୍ୟ ତାକୁ ସାହାଯ୍ୟ କରିବା ଉଚିତ୍ । ତପସ୍ୟା କେବଳ ନିଜ ସ୍ୱାର୍ଥ ପାଇଁ କରାଯାଏ ନାହିଁ, ତାହା ଦେଶ, ଜାତି ବା ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ କରାଯାଏ । ନିଜ ସ୍ୱାର୍ଥ ପାଇଁ ସେସବୁ କଲେ, ତାହା ଆସୁରିକ ତପସ୍ୟା ହୁଏ । ତୁମେ ଏହି ସତ୍ୟକୁ କେବେବି ଭୁଲି ଯିବ ନାହିଁ ।”

ଭଗବାନ୍ଙ୍କ ଏଭଳି କଥାରେ ମୋର ଆଖି ହଠାତ୍ ଖୋଲିଗଲା, ମୁଁ କହିଲି, ”ପ୍ରଭୋ, ମୋତେ ଆପଣ ନିଜ ଭିତରକୁ ନେଇ ନିଅ ।”

ଭଗବାନ୍ କହିଲେ ”ଯିଏ ପୃଥିବୀ ଉପରେ ଜନ୍ମ ନିଏ, ତାହାର ତ କିଛି ନା କିଛି ଲକ୍ଷ୍ୟ ଥାଏ । ହେଲେ ତୁମେ ଏପର୍ଯ୍ୟନ୍ତ କୌଣସି ଲକ୍ଷ୍ୟପ୍ରାପ୍ତ କରିନାହଁ । ଯେଉଁଦିନ ତୁମେ ନିଜେ ଭଲ ହୋଇଯିବ, ତଥା ତୁମର ଚେତନା ଉଚ୍ଚତର ହେବ, ତୁମେ ଜୀବନର ଲକ୍ଷ୍ୟ ସାଧନ କରିବ, ତା’ପରେ ଯାଇ ମୁଁ ତୁମକୁ ମୋ ଚେତନା ମଧ୍ୟକୁ ନିଶ୍ଚୟ ନେଇନେବି ।” ତା’ପରେ ସେ ସେଠାରୁ ଅନ୍ତର୍ଦ୍ଧାନ ହେଲେ ।

ସେହିଦିନଠାରୁ ମୁଁ ଗ୍ରାମ, ଗ୍ରାମ ଧରି ବୁଲି ବୁଲି ଲୋକମାନଙ୍କର ସେବା କରୁଛି, ସେମାନଙ୍କ ପାଇଁ ଅନେକ ମଙ୍ଗଳ କାର୍ଯ୍ୟବି କରୁଛି ।

ମାତଙ୍ଗଙ୍କର ଜୀବନ କାହାଣୀ ଶୁଣିବା ପରେ ସେ ବୁଝିଗଲା ଯେ ତାର କେଡେ ବଡ ଭୁଲଟାଏ ହୋଇଛି । ସେ ନିଜର ମନ୍ତ୍ର ଜପ କରି କେତେ ଲୋକଙ୍କଠାରୁ ସହାୟତା ପାଇଛି । ତା’ ପିତା ମଧ୍ୟ ସେହି ମନ୍ତ୍ର ଜପ କରି କେତେ ଲୋକଙ୍କଠାରୁ କେତେ କ’ଣ ପାଇଥିବେ, ଦୂରାଶାର ଲୋଭରେ ପଡି ସେ ନିଶ୍ଚୟ ମନ୍ତ୍ରର ଉପଯୋଗ ଆବଶ୍ୟକତାରୁ ଅଧିକ କରିଛନ୍ତି । ଯାହା ପାଇଥିଲେ, ସେସବୁକୁ ଫେରସ୍ତ ଦେବାବେଳକୁ ସେ କଷ୍ଟରେ ପଡିଛନ୍ତି । ସେଥିପାଇଁ ମୃତ୍ୟୁ ପୂର୍ବରୁ ସେ କହିଲେ ”ଦୂରାଶା ଯୋଗୁଁ ଆଜି ଆମର ଏପରି ଅବସ୍ଥା ହୋଇଛି ।”

ଚିନ୍ତାଗ୍ରସ୍ଥ ସୀତାରାମକୁ ଦେଖି ମାତଙ୍ଗ କହିଲେ, ”ପୁତ୍ର, ତୁମର ବଶୀକରଣ ପାଇଁ କିଛି ଶକ୍ତି ଅଛି । ଯେପର୍ଯ୍ୟନ୍ତ ତୁମେ ମୋର ସହାୟତା ନ ଚାହିଁବ, ସେପର୍ଯ୍ୟନ୍ତ ମୁଁ ଏଠାରୁ ଯାଉନାହିଁ । ତୁମର କୌଣସି ଇଚ୍ଛା ଅଛି ତୁମେ ତାହା ମୋ ନିକଟରେ ବ୍ୟକ୍ତ କର ମୁଁ ତାହା ଅବଶ୍ୟ ପୂର୍ଣ୍ଣ କରିବି ।”

ତହୁଁ ସୀତାରାମ କିଛି ସମୟ ଭାବିବା ପରେ କହିଲା, ”ମୁନିବର, ସମ୍ରାଟ ହେବାର ଆକାଂକ୍ଷା ନେଇ ଆପଣ ତପସ୍ୟା କଲେ । ଆପଣ ଲାଭ କରିଥିବା ଅଦ୍ଭୁତ ଶକ୍ତିସବୁ ଦ୍ୱାରା ଜନକଲ୍ୟାଣ କଲେ । ଆପଣ ଯେଉଁଭଳି ମାନବସେବା କରୁଛନ୍ତି, ତାହା ସମ୍ରାଟ ହେବାଠାରୁ ମଧ୍ୟ ଅଧିକ ଉଚ୍ଚରେ । ଏବେ ଆପଣଙ୍କର ସମ୍ରାଟ ହେବାର ଆକାଂକ୍ଷାହିଁ ନାହିଁ ।” ତା’କଥା ଶୁଣି ମାତଙ୍ଗ କହିଲେ, ”ହଁ, ତୁମେ ଠିକ୍ କହିଛ ।”

ସୀତାରାମ ନିଜର ଇଚ୍ଛା ପ୍ରକାଶ କରିବାକୁ ଯାଇ କହିଲା ”ମୁନିବର, ସମ୍ରାଟ ହେବାପାଇଁ ମୋର କୌଣସି ଇଚ୍ଛା ନାହିଁ । ମୋତେ ଖାଲି ଏହି ଦେଶର ରାଜା କରି ଦିଅନ୍ତୁ ।”

ମାତଙ୍ଗ ପଚାରିଲେ, ”ଭଗବାନ୍ଙ୍କ କଥା କ’ଣ ତୁମେ ଭୁଲିଗଲ କି?”

ସୀତାରାମ କହିଲେ ”ନାହିଁ ମୁନିବର, ମୁଁ କୌଣସି ରାଜାଙ୍କୁ ତାଙ୍କ ପଦରୁ ବାହାର କରିଦେବାକୁ କହୁନାହିଁ । ସେ ରାଜା ପୁତ୍ରହୀନ । ତାଙ୍କର ଗୋଟିଏ ମାତ୍ର କନ୍ୟା ଅଛି । ସେମାନେ ଯୋଗ୍ୟବର ଖୋଜୁଛନ୍ତି । ମୋତେ ଏହି ବର ଦିଅନ୍ତୁ ମୁଁ ଯେପରି ରାଜକୁମାରୀଙ୍କର ପସନ୍ଦ ପାଇଁ ନିଜକୁ ଯୋଗ୍ୟ କରିପାରେ ।”

ମାତଙ୍ଗ କହିଲେ ”ତଥାସ୍ତୁ । ଏବେ ତୁମ ଜୀବନର ଏକ ପ୍ରୟୋଜନ ରହିଛି । ତୁମର ଇଚ୍ଛା ପୂର୍ଣ୍ଣ କରିସାରି ମୁଁ ଭଗବାନ୍ଙ୍କ ସହ ମିଶିଯିବି ।”

ଏହି କାହାଣୀଟି ଶୁଣାଇ ସାରିବା ପରେ ବେତାଳ ବିକ୍ରମାର୍କଙ୍କୁ ପଚାରିଲା, ”ରାଜନ୍ ମାତଙ୍ଗ ତପସ୍ୟାଲବ୍ଧ ଅଦ୍ଭୁତ ଶକ୍ତିମାନଙ୍କୁ ପାଇଲେ ଏବଂ ସେମାନଙ୍କ ଯୋଗୁଁ ସେ ସୀତାରାମଙ୍କୁ ରାଜା କରିବାପାଇଁ ବଚନ ଦେଲେ; ଏହା କଣ ଅବିବେକିତାର ପରିଚୟ ଦିଏ ନାହିଁ କି? ସୀତାରାମ ବାଦରାୟଣ ମନ୍ତ୍ର ଦ୍ୱାରା ନିଜର ଇଚ୍ଛା ପୂର୍ଣ୍ଣ କରିପାରୁଛି । ଏପରି ସ୍ୱାର୍ଥପର ଲୋକ ଦେଶର ରାଜା ହେଲେ ତାହା ତ ଦେଶର ଦୁର୍ଭାଗ୍ୟ ହେବ । ରାଜ୍ୟରେ କେତେ ଅବ୍ୟବସ୍ଥା ହେବ । ଏସବୁ ଜାଣି ମଧ୍ୟ ମାତଙ୍ଗ କିପରି ବିଚାର ନକରି ତାକୁ ବର ଦେଇଦେଲେ । ସୀତାରାମର ଜୀବନ ଅନ୍ୟର ଦୟା ଉପରେ ଚଳୁଥିଲା । ସେ ଉଭୟ ସୁସ୍ଥ ଏବଂ ସ୍ୱାର୍ଥୀ ମଧ୍ୟ ଥିଲା । ତଥାପି ମଧ୍ୟ ମୁନି ତାକୁ ବର ଦେଇ, କିପରି ଏଡେ ବଡ ଭୁଲ୍ କଲେ? ମୋର ଏହି ସନ୍ଦେହର ସମାଧାନ କରିବା କଥା ଜାଣି ମଧ୍ୟ ତୁମେ ଯଦି କିଛିବି ଉତ୍ତର ନ ଦେବ ତେବେ ତୁମର ଶିର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମାର୍କ ଉତ୍ତର ଦେଇ କହିଲେ, ”ମାତଙ୍ଗ ଜାଣିଥିଲେ ଯେ ସୀତାରାମ ନିଜେ କୌଣସି କାମ କରୁନାହିଁ । ସେ ମନ୍ତ୍ରର ଶକ୍ତି ଯୋଗୁଁ ଅନ୍ୟମାନଙ୍କଠାରୁ ଲାଭ ଉଠାଉଛି । ମାତଙ୍ଗ ତାକୁ ନିଜର ଜୀବନକାହାଣୀ ଶୁଣାଇଲେ, କାରଣ ତଦ୍ୱାରା ସେ ବୁଝିବ ଯେ ସେପରି କରିବା ପାପ । ସୀତାରାମ ନିଜ ପିତାଙ୍କର ଦୂରାବସ୍ଥା ଓ ମାତଙ୍ଗଙ୍କ କାହାଣୀ ବିଷୟ ଉପଲବ୍ଧି କରିବା ଦ୍ୱାରା ନିଜର ପରିବର୍ତ୍ତନ ହେଲା । ଯେଉଁମାନଙ୍କଠାରୁ ଧନ ନେଇ ସେ ଚଳୁଥିଲା ସେମାନଙ୍କୁ ଫେରାଇବାକୁ ହେବ, ପୁଣି ପିତାଙ୍କର ଋଣ ମଧ୍ୟ ତାକୁ ସୁଝିବାକୁ ହେବ । ସେ ସବୁଥିପାଇଁ କେବଳ ରାଜା ହୋଇପାରିଲେ ଯାଇ ଋଣ ପରିଶୋଧ କରିପାରିବ ଏହା ଭାବି ରାଜା ହେବା ପାଇଁ ସେ ଇଚ୍ଛା କଲା, ମାତ୍ର ଲୋଭରେ ପଡି ନୁହେଁ । ମାତଙ୍ଗ ଜାଣିଲେ ଯେ ତା’ ଭିତରେ ପରିବର୍ତ୍ତନ ହୋଇସାରିଲାଣି, ତେଣୁ ସେ ଖୁସିରେ ତାକୁ ବର ଦେଲେ । ଏକଥା ସତ ଯେ ସୀତାରାମ ଖୁବ୍ ଭଲ ପିଲା, ପୁଣି ବରଲାଭ କରିବା ପରେ ସେ ପ୍ରକୃତରେ ଲୋକହିତକର କାର୍ଯ୍ୟ ଭଲ ଭାବରେ କରିପାରିବ, ଏ ବିଶ୍ୱାସ ମାତଙ୍ଗଙ୍କର ଥିଲା । ତେଣୁ ବର ଅପାତ୍ରରେ ଦିଆ ହୋଇ ନାହିଁ ବା ତାହା ବ୍ୟର୍ଥ ନୁହେଁ ।”

ରାଜାଙ୍କର ମୌନ ଭଙ୍ଗ ହୁଅନ୍ତେ, ପୂର୍ବ ସର୍ତ୍ତ ଅନୁସାରେ ବେତାଳ ଶବସହିତ ଖସିଯାଇ ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X