Odia Short Story

New Odia Short Story Baka Jataka

Download Odia Books Online

Hi Everyone,

How are you doing. You can find other small stories in our Odia Short Story portal.In this story it will known that who cheat to others again, he has also cheated by someone. so not good to him, who cheated to others. you wil enjoy this odia story and will share with your friends and family.

Odia Short Story Baka Jataka
                                                                  Odia Short Story Baka Jataka

ଏକ ବଣରେ ଗୋଟିଏ ଛୋଟ ପୋଖରୀ ଥିଲା । ପୋଖରୀଟି ନିର୍ମଳ ପାଣିରେ ଭରିରହିଥିଲା । ସେଥିରେ ଅନେକ ପଦ୍ମଫୁଲ ଫୁଟିଥିବାରୁ ଭାରି ସୁନ୍ଦର ଦେଖାଯାଉଥିଲା । ପୋଖରୀ କୂଳରେ ବରଗଛଟିଏ ରହିଥିଲା । ଏଇ ଗଛଟିର ଦେବତା ଥିଲେ ବୋଧିସତ୍ୱ । ସେ ସେଇ ଗଛରେ ରହୁଥିଲେ ।

ଖରାଦିନ ହେଲା । ପୋଖରୀରୁ ପାଣି ଶୁଖିଆସିଲା । ପାଣି କମିଯାଉଥିବା ଦେଖି ମାଛମାନେ ବଡ ବିକଳ ହେଲେ । ସେମାନେ ଭାବିଲେ – ଯଦି ପାଣି ଶୁଖିଯାଏ, ତେବେ ଆମେ କିପରି ବଂଚିବା? ବଗଟିଏ ଏକଥା ଶୁଣି ମନେ ମନେ ଠିକ୍ କଲା – କିଛି ଗୋଟାଏ ଫିକର କରି ଏ ପୋଖରୀର ମାଛମାନଙ୍କୁ ଖାଇବି । ଅନେକ ଦିନ ଯାଏ ମୋର ଖାଇବାପାଇଁ ଭାବନା ରହିବନି ।

ବଗ ପୋଖରୀ କୂଳକୁ ଗଲା । କୂଳରେ ତୁନି ହୋଇ ମୁଣ୍ଡପୋତି ବସିରହିଲା । ତା’ର ମୁହଁ ଶୁଖିଲା ଦିଶୁଥାଏ । ସେ ମାଛ ଧରିବା ପାଇଁ କିଛି ଚେଷ୍ଟା କରୁନଥିଲା । ମାଛଗୁଡାକ ବଗକୁ ଏପରି ବସିରହିଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ସେମାନେ ତାକୁ ପଚାରିଲେ – ”ବଗ ଭାଇ ! କାହିଁକି ଏମିତି ତୁନି ହୋଇ ବସିଚ? ଆଜି କ’ଣ କିଛି ଖାଇବନି କି? ତୁମ ମନରେ କିଛି ଦୁଃଖ ଥିଲା ପରି ଜଣାଯାଉଚି!”

ବଗ କହିଲା – ”ମୋର ଦୁଃଖ ଖାଲି ତୁମମାନଙ୍କ ପାଇଁ । ମୁଁ ଦେଖୁଚି ଯେ ଏ ପୋଖରୀ ପାଣି ଶୁଖିଆସିଲାଣି । ଆଉ କେତେଟା ଦିନରେ ସବୁ ପାଣି ଶୁଖିଯିବ । ତୁମେସବୁ ପାଣି ବିନା ମରିଯିବ । ତୁମମାନଙ୍କ ସାଙ୍ଗରେ ମୁଁ ଏତେଦିନ ରହିଥିଲି । ଏବେ ଦେଖୁଚି ଯେ ମୁଁ ତୁମମାନଙ୍କୁ ହରାଇବି । ସେଇକଥା ଭାବି ଭାବି ମୁଁ ଏଇଠି ଦୁଃଖରେ ବସିଚି ।”

ବଗର କଥା ଶୁଣି ମାଛମାନେ କହିଲେ – ”ବଗ ଭାଇ ! ଯାହା କହିଲ ତାହା ସତ । ହେଲେ ଆମେମାନେ କିପରି ବଂଚିବୁ? ତା’ର କ’ଣ କିଛି ବାଟ ନାହିଁ?”

ଏହା ଶୁଣି ବଗ କହିଲା – ”ବାଟ ନାହିଁ କାହିଁକି? ତୁମେମାନେ ମୋ କଥାରେ ରାଜୀ ହେଲେ ହେଲା । ଏଠାରୁ କିଛି ବାଟ ଗଲେ ଗୋଟିଏ ବଡ ପୋଖରୀ ପଡିବ । ସେଥିରେ ବହୁତ ପାଣି ଅଛି । ଖରାଦିନେ ସେ ପୋଖରୀ ଶୁଖିବନି । ତୁମେମାନେ ଜଲ୍ଦି ସେଇ ପୋଖରୀକୁ ଚାଲିଯାଅ । ତା’କଲେ ସମସ୍ତେ ବଂଚିଯିବ ।”

ମାଛମାନେ କହିଲେ – ”ହେଲେ ଆମେ ସେ ପୋଖରୀକୁ ଯିବୁ କିମିତି?”

ବଗ କହିଲା – ”ଯଦି ତୁମେମାନେ କହିବ, ତେବେ ମୁଁ ତୁମମାନଙ୍କୁ ନେଇ ସେଇ ପୋଖରୀରେ ଛାଡିଦେଇ ଆସିବି । ଥରକେ ଜଣକୁ ଥଂଟରେ ବୋହିନେବି । ଏମିତିକାରେ ଯେତେଦିନ ଲାଗିବ ଲାଗୁ । ଖରାଦିନ ଆସିବା ଆଗରୁ ତୁମେସବୁ ସେଠାରେ ପହଁଚିସାରିଥିବ । ଏଥିରେ ତମେସବୁ ରାଜୀହେଲେ ହେଲା ।”

କେତେକ ମାଛ ବଗର କଥାରେ ସନ୍ଦେହ କଲେ । ସେମାନେ କହିଲେ – ”ବଗ କେବେ ମାଛଙ୍କ ଭଲପାଇଁ ଭାବନା କରିବା ଆମେ ଶୁଣିନୁ । ତୁମେ ଯେ ଆମକୁ ଭୁଲାଇ ନେଇ ଖାଇନଯିବ ତା’ କିଏ କହିବ? ଆଉ ଗୋଟିଏ ବଡ ପୋଖରୀ ଅଛି କି ନାହିଁ ସେକଥା ମଧ୍ୟ ଆମକୁ ଜଣାନାହିଁ । ତୁମ କଥାରେ କି ବିଶ୍ୱାସ ଅଛି?”

ବଗ କହିଲା – ”ତୁମେମାନେ ଯାହା କହୁଚ ତା’ ଠିକ୍କଥା । ତେବେ ସଂସାରରେ ରହିଲେ କାହାରିକୁ ହେଲେ ବିଶ୍ୱାସ କରିବାକୁ ପଡିବ । ତା’ନକଲେ ଚଳିପାରିବନି । ହଉ, ତୁମ ଭିତରୁ ଜଣେ କେହି ମୋ ସାଙ୍ଗରେ ଆସ, ମୁଁ ତାକୁ ନେଇ ପୋଖରୀଟି ଦେଖାଇଦେବି । ତେବେ ତ ତୁମମାନଙ୍କର ବିଶ୍ୱାସ ହବ?”

ମାଛମାନେ ବଗର କଥାରେ ରାଜି ହେଲେ । ଜଣେ ମାଛ ବଗ ସାଙ୍ଗରେ ଯିବ ବୋଲି ଠିକ୍ ହେଲା । ମାଛମାନଙ୍କ ଭିତରେ ଗୋଟିଏ ବଡ ମାଛଥିଲା । ତା’ର ଗୋଟିଏ ଆଖି ଫୁଟିଯାଇଥିଲା । ତେଣୁ ତା’ର ନାମ ଥିଲା ଏକଆଖିଆ । ମାଛମାନେ କହିଲେ – ”ଆଗେ ଏକଆଖିଆ ଯାଇ ପୋଖରୀଟି ଦେଖିଆସୁ, ବଗର କଥା ସତ କି ମିଛ ଜାଣିବା । ଯଦି ବଗ ଠକୁଥାଏ ତେବେ ଏକଆଖିଆ ତାକୁ ମାରିଦେଇପାରିବ ।”

ବଗ ଏକଆଖିଆକୁ ଥଂଟରେ ଧରି ଉଡିଗଲା । ସେ ତାକୁ ଗୋଟିଏ ବଡ ପୋଖରୀରେ ଛାଡିଦେଲା । ଏକଆଖିଆ ସେ ପୋଖରୀର ପାଣିରେ ଖୁସିରେ ଢେର ବେଳଯାଏଁ ପହଁରିଲା । ସେ ଦେଖିଲା ଯେ, ସତରେ ପୋଖରୀରେ ଢେର ପାଣି ଅଛି । ପାଣି ଶୁଖିଯିବାର ଡର ନାହିଁ । ତା’ପରେ ବଗ ଏକଆଖିଆକୁ ପୁଣି ଆଣି ଛୋଟ ପୋଖରୀରେ ଛାଡିଦେଲା । ଏକଆଖିଆ ମାଛମାନଙ୍କୁ କହିଲା ଯେ, ବଗର କଥା ସତ ।

ତା’କଥା ଶୁଣି ସବୁ ମାଛ ଭାବିଲେ – ବଗଭାଇ ଆମର ମଙ୍ଗଳ କରିବାକୁ ଚାହୁଁଚି । ଆମେ ମିଛଟାରେ ତାକୁ ସନ୍ଦେହ କରୁଥିଲୁ ।

ଏଥର ସବୁ ମାଛ ଆଗେ ନୂଆ ପୋଖରୀକୁ ଯିବାପାଇଁ ଜିଦ୍ କଲେ । ବଗ କହିଲା – ”ଆରେ ଭାଇ ! ତୁମମାନଙ୍କୁ ମୁଁ ଏକା ବେଳକେ କିପରି ନେବି? ଜଣ ଜଣ ହୋଇ ଆସ । ଜଣକୁ ନେଇ ଛାଡିଦେଇ ଆସିଲେ ସିନା ଆଉ ଜଣକୁ ନେବି ।”

ଏକଆଖିଆ କହିଲା – ”ଭାଇ ! ମତେ ଆଗ ନେଇଯାଅ ।”

ବଗ ତାକୁ ଥଂଟରେ ଧରି ଉଡିଗଲା । ସେ ତାକୁ ଆଗଥର ଭଳି ପୋଖରୀରେ ଛାଡିଲା ନାହିଁ । ଉପରୁ ଗୋଟିଏ ପଥର ଉପରକୁ ଖସାଇଦେଲା । ପଥରରେ ପଡି ମାଛଟା ମରିଗଲା । ବଗ ବଡ ଆନନ୍ଦରେ ତାକୁ ଖାଇଲା ।

କିଛି ସମୟ ଗଲା । ବଗ ପୁଣି ଛୋଟ ପୋଖରୀକୁ ଆସିଲା ଓ କହିଲା – ”ଏକଆଖିଆକୁ ତ ବଡ ପୋଖରୀରେ ଛାଡିଦେଲି । ସେ ସେଠି ଆନନ୍ଦରେ ପହଁରୁଚି । ଆଉ କିଏ ଯିବ ଆସ ।”

ଆଉ ଗୋଟିଏ ମାଛ ବାହାରିପଡି କହିଲା – ”ଏଥର ମତେ ନେଇଯାଅ ।”

ବଗ ବଡ ଖୁସିରେ ତାକୁ ଥଂଟରେ ନେଇ ଆକାଶରେ ଉଡିଗଲା । ମାଛଟାକୁ ଖୁବ୍ ଉଚ୍ଚରୁ ପଥର ଉପରକୁ ଫିଙ୍ଗିଦେଲା । ସେଇଟା ପଥରରେ ଛେଚି ହୋଇ ମରିଗଲା । ବଗ ତଳକୁ ଓହ୍ଲାଇଯାଇ ସେ ମାଛକୁ ବି ଖାଇଲା ।

ଏମିତି ଗୋଟି ଗୋଟି କରି ମାଛ ନେଇ ବଗ ଖାଇବାକୁ ଲାଗିଲା । କ୍ରମେ ପୋଖରୀରୁ ସବୁ ମାଛ ସରିଗଲା । ଶେଷକୁ ରହିଲା ଗୋଟିଏ କଙ୍କଡା । କଙ୍କଡା କହିଲା – ”ବଗଭାଇ ! ମାଛମାନଙ୍କୁ ତ ନେଇଗଲ, ମତେ ଏବେ ନୂଆ ପୋଖରୀକୁ ନିଅ । ପାଣି ଶୁଖିଗଲେ ମୁଁ ଏଠାରେ ମରିଯିବି । ମାଛମାନଙ୍କ ଜୀବନ ତ ତୁମେ ରଖିଲ । ଏଥର ମତେ ଦୟାକର ।”

କଙ୍କଡାର କଥାରେ ବଗ ରାଜି ହେଲା । ସେ ମନେ ମନେ ଭାବିଲା – ମାଛମାନଙ୍କ ମାଂସ ତ ଖାଇଲି । ଏବେ କଙ୍କଡା ମାଂସ ଚାଖିବି । କଙ୍କଡା ମାଂସ ଭାରି ମିଠା ହୋଇଥିବ । ଏହା ଭାବି ସେ କଙ୍କଡାକୁ କହିଲା – ”ହଉ ଭାଇ, ମୁଁ ବି ତତେ ଥଂଟରେ ଧରିନେବି ।”

କଙ୍କଡା ଉତ୍ତର ଦେଲା – ”ନା, ତମେ ମତେ ଥଂଟରେ ଧରି ନେଇପାରିବନି । ମାଛଗୁଡାକଙ୍କର ଦେହ କଅଁଳ । ତେଣୁ ସେମାନଙ୍କୁ ତୁମେ ଥଂଟରେ ଧରି ନେଇଗଲ । ମାତ୍ର ମୋ ଦେହଟା ଟାଣ ଓ ଚିକ୍ଣିଆ । ତମେ ଯେତେ ଜୋର୍ରେ ମତେ ଧରିଲେ ବି ବାଟରେ ମୁଁ ତୁମ ଥଂଟରୁ ଖସିପଡିବି ।”

ବଗ କହିଲା – ” ତୁ ତା’ ହେଲେ ନୂଆ ପୋଖରୀକୁ ଯାଇପାରିବୁନି ।”

କଙ୍କଡା କହିଲା – ”ନା, ନା, ସେ କଥା କହନି । ଯେମିତିହେଲେ ମତେ ସେଠାକୁ ନିଅ । ମୁଁ ତୁମ ପିଠି ଉପରେ ବସିବି । ଦୁଇ ଗୋଡରେ ତୁମର ଗଳାକୁ ଧରିଥିବି । ତା’ହେଲେ ମୁଁ ପଡିଯିବାର ଡର ନଥିବ ।”

କଙ୍କଡାର କଥାରେ ବଗ ରାଜି ହେଲା । କଙ୍କଡା ବଗ ପିଠି ଉପରେ ବସିଲା । ଗୋଡଦୁଇଟିରେ ବଗର ବେକକୁ ଧରିଲା । ବଗ ଆକାଶରେ ଉଡି ଉଡି ମାଛମାନଙ୍କୁ ପକାଇ ମାରିଥିବା ପଥର ଉପରକୁ ତାକୁ ନେଇଗଲା ।

କଙ୍କଡା ଏହାଦେଖି କହିଲା – ”ଏ କ’ଣ ବଗଭାଇ? ମତେ ପୋଖରୀରେ ନ ଛାଡି ଏଠାକୁ ଆଣିଲ କାହିଁକି?”

ବଗ କହିଲା – ”ଆରେ ବୋକା, ତଳକୁ ଚାହିଁ ଦେଖେ । ସବୁ ମାଛଙ୍କର କଂଟା ପଥର ପାଖରେ ଜମା ହେଇଚି । ମୁଁ ଗୋଟି ଗୋଟି କରି ସେସବୁ ମାଛଙ୍କୁ ଏଇ ପଥରରେ ଛେଚି ମାରି ଖାଇଚି । ତତେବି ସେମିତି ମାରିଖାଇବି ।”

କଙ୍କଡା ବଗ କଥାରେ ଡରିଲାନି । ସେ ତା’ର ଦୁଇ ଗୋଡରେ ବଗର ବେକକୁ ଚିପିବାକୁ ଲାଗିଲା । ବଗ ଜାଣିଲା ଯେ କଙ୍କଡା ତାକୁ ମାରିଦେବ । ସେ ବିକଳ ହୋଇ କହିଲା – ”ଆରେ ମତେ ମାରେନା । ମୁଁ ତୋତେ ମାରିବିନି ।”

କଙ୍କଡା କହିଲା – ”ହଉ, ମତେ ଏବେ ପୋଖରୀକୁ ନେଇଚାଲ ।”

ବଗ କଙ୍କଡାକୁ ନେଇ ପୋଖରୀ କୂଳକୁ ଉଡିଗଲା । ହେଲେ କଙ୍କଡା ବଗକୁ ଛାଡିଲାନି । ସେ ତା’ର ଗୋଡରେ ବଗର ବେକକୁ କାଟି ଦି’ଗଡ କରିଦେଲା । ବଗ ମରି ତଳେ ପଡିଲା । କଙ୍କଡା ପାଣି ଭିତରକୁ ଚାଲିଗଲା ।

ଗଛ ଭିତରେ ଥାଇ ବୋଧିସତ୍ୱ ସବୁକଥା ଦେଖୁଥିଲେ । ସେ ମନେ ମନେ ଭାବିଲେ- ଯେ ଅନ୍ୟକୁ ଠକେ, ତାକୁ ପୁଣି ଆଉ କିଏ ଠକିଦିଏ । ପରକୁ ଠକିଲେ କେବେହେଲେ ମଙ୍ଗଳ ହୁଏନି ।

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X