
ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ “ପୋଇତା ଭାତ”, ପଶ୍ଚିମ ବଙ୍ଗରେ “ପନ୍ତ ଭାତ”, ଝାଡ଼ଖଣ୍ଡ ଓ ବିହାରରେ “ମାରା ଭାତ” ଓ ଛତିଶଗଡ଼ରେ ପଖାଳ ବା “ବୋରେ ଭାତ” କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ । ପଖାଳ ସାଧାରଣତଃ ଦିନରେ (ସକାଳେ) ଖିଆଯାଏ । ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇଥାଆନ୍ତି ।
ଆବଶ୍ୟକୀୟ ସାମଗ୍ରୀ:
- ଭାତ
- ଥଣ୍ଡାପାଣି
ପ୍ରସ୍ତୁତି ପ୍ରଣାଳୀ:
- ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।
- ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ ।