Hello Everyone,
Today we are publishing another odia short story. You can find other small stories in our Odia Short Story portal. This Story content is about the result of bad dense. The crow is punished for his own bad dense. Read this odia story and share with your friends and family.

ପ୍ରତିଦିନ ରାତି ପାହୁପାହୁ କାଉମାନେ କା’ କା’ କରି ଉଡି ବୁଲନ୍ତି । ଆମେ କାଉର ରାବ ଶୁଣି ଶେଯରୁ ଉଠୁ । କାଉ ଆମର ପରିବେଶକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏଡେ ବଡ ଉପକାରୀ ପକ୍ଷୀ କାଉ ବି ଆମର ବେଳେବେଳେ କ୍ଷତି ଘଟାଇଥାଏ । ଆସ ସେଇ କାଉ କଥା ଶୁଣିବା ।
ସବୁଦିନ ଭଳି କାଉଟିଏ ବାଡିପଟ ଗଛ ଡାଳରେ ବସି କା’ କା’ ରାବ ଛାଡିଲା । ଏହାଦେଖି ମହେଶର ଆଈ ଘରୁ ମୁଢି ଗିନାଏ କି କେତେବେଳେ ବାସି ରୁଟି ଦି’ ପଟ ନେଇ କାଉକୁ ଦେଇ ଦିଅନ୍ତି ।
କାଉ ଖୁସିରେ ତାର ଖାଦ୍ୟ ଖାଇଥାଏ, ମହେଶ ମନ ଆନନ୍ଦରେ ବସି ଦେଖୁଥାଏ । ଏହା ଥିଲା କାଉ, ମହେଶ ଓ ତା’ ଆଈଙ୍କର ନିତିଦିନିଆ କାମ ଏହି କାମରେ କୌଣସି ଦିନ କେହି ଜଣେ ବି ହେଳା କରୁନଥାନ୍ତି । ପ୍ରତିଦିନ କାଉଟି ପେଟେଖାଇ ଉଡିଯାଏ ।
ଦିନକର କଥା । ମହେଶ ଆଈ ସକାଳୁ ସକାଳୁ ତୁଳସୀ ଚଉରାମୂଳେ ପୂଜା କରି ଏକ ସଂଜବଳିତା ଲଗାଇ ଦେଇଛନ୍ତି । କାଉଟି ସେଦିନ ବାସି ରୁଟି ଦି’ ଖଣ୍ଡ ଖାଇ ଉଡିଯିବା କଥା । ମାତ୍ର ସେ ନଯାଇ ଦାଣ୍ଡପଟ ପାଚେରି ଉପରେ ବସିରହିଲା । ଏଣେ ମହେଶ ଓ ତା’ର ଆଈ ଘରଭିତରକୁ ଚାଲିଗଲେଣି । ଆଈ ତରତର ହୋଇ ରୋଷେଇ କରି ଦେଉଛନ୍ତି, ଖାଇସାରିଲେ ବଜାରରେ କିଣାବିକା କରିବାକୁ ଯିବେ ।
ଠିକ୍ ଏତିକିବେଳେ କାଉଟି କଲା କ’ଣନା, ଜଳନ୍ତା ସଂଜ ବଳିତାଟିକୁ ନେଇ ପାଖରେ ଥିବା ଜଣେ ଗରିବ ଲୋକ ନଡା ଚାଳ ଉପରେ ରଖିଦେଲା । ତାଙ୍କର ଖରାଦିନର ଶୁଖିଲା ନଡା ଚାଳଟି ହୁତୁହୁତୁ ହୋଇ ଜଳିଉଠିଲା । ଚାହୁଁ ଚାହୁଁ ଗାଁଲୋକ ରୁଣ୍ଢ ହୋଇଗଲେ । ଯିଏ ଯେଝାଘରୁ ବାଲ୍ଟିଧରି ପାଣି ବୋହି ନିଆଁରେ ଢାଳିଲେ ।
ସେଇ ଘରକୁ ଲାଗି ବୁଢା ଆମ୍ବଗଛଟିଏ ଥିଲା, ଯେଉଁଠାରେ କାଉଟି ବସା ବାନ୍ଧି ପିଲା ଧରି ରହୁଥାଏ । ସେହି ନିଆଁ ଧାସରେ ଆମ୍ବଗଛଟି ବି ଜଳିଗଲା । କାଉଟି ତା’ର ଛୁଆମାନଙ୍କୁ ଥଂଟରେ ଗୋଟିକପରେ ଗୋଟିଏ କରି ଉଠାଇ ସେମାନଙ୍କର ଜୀବନ ରକ୍ଷା କରିଦେଲା ସିନା, ତା’ର ବସାଘରଟି ସମ୍ପୂର୍ଣ୍ଣ ଭାବରେ ଜଳିଗଲା । ତେଣୁ ବାସହରା ହୋଇ କାଉଟି ମନଦୁଃଖରେ ବସିଲା ।
ଲୋକମାନେ ଏହି ଅଗ୍ନିକାଣ୍ଡର କାରଣ ଖୋଜି ଖୋଜି ଶେଷରେ ଜାଣି ପାରିଲେ, ପ୍ରତି ଦିନ ଯେଉଁ ଘର ମାଲିକଙ୍କ ଠାରୁ ସେ ଖାଦ୍ୟ ଖାଉଥିଲା ତାଙ୍କର ଠାକୁର ପୂଜା ସଂଜ ବଳିତାକୁ ଆଣି ସେହି କାଉ ଏଭଳି କାଣ୍ଡ ଘଟାଇ ଥିଲା । ସୁତରାଂ ତା’ପର ଦିନ ଠାରୁ ଗାଁର ଲୋକମାନେ ଆଉ ଖାଇବା ଦେଲେ ନାହିଁ, ବରଂ କାଉମାନଙ୍କୁ ଯିଏ ଯେଉଁଠିଦେଖିଲା ଢେଲାମାରି ଘଉଡାଇ ଦେଲେ ।
ବିଚରା କାଉଟି ସେ ସ୍ଥାନ ଛାଡି କୁଆଡେ ଚାଲିଗଲା । ସେ ନିଜର ଛୁଆପିଲା, ବସା ଓ ଅକ୍ଳେଶରେ ମିଳୁଥିବା ଖାଦ୍ୟ ପଦାର୍ଥକୁ ହରାଇ ବହୁତ ମନସ୍ତାପ କଲା । ଶେଷରେ ନିଜର ମନ୍ଦବୁଦ୍ଧିର କୁ ପରିଣାମ ସ୍ୱରୂପ ଏଭଳି ଦଣ୍ଡ ଭୋଗିଲା ବୋଲି ସେ ମନେ ମନେ ଭାବିଲା ।