OdiaWeb- Odia Film, Music, Songs, Videos, SMS, Shayari, Tourism, News

ଶୀତ ଦିନେ ନିଜକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ନିମ୍ନରେ ପ୍ରଦତ୍ତ କେତୋଟି ଉପାୟ

Odia Tips for Winter in Odisha

ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ ବ୍ୟଥା ଆଦି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ | ଏହା ସହ ଆମ ଶରୀରରେ ଶୁଷ୍କତା ହେତୁ ହାତ, ପାଦ,ଓଠ ଫାଟିବା, କେଶରେ ରୁପି ହେବା, ତ୍ବଚାର ନମନୀୟତା ହ୍ରାସ ପାଇ ଏହା ରୁକ୍ଷ ଓ ନିସ୍ତେଜ ଦେଖାଯିବାର ସମସ୍ୟା ମଧ୍ୟ ଦେଖାଯାଏ ଯାହା ଫଳରେ ଆମ ଶରୀରର ଔଜଲ୍ୟତା ହ୍ରାସ ପାଏ| ଶୀତ ଦିନେ ଏହି ସବୁ ସମସ୍ୟାରୁ ଆପଣ କିପରି ସହଜ ଓ ସରଳ ଉପାୟରେ ରକ୍ଷା ପାଇ ସୁସ୍ଥ ରହି ନିଜ ଶରୀରର ସୌନ୍ଦର୍ଯ୍ୟକୁ ବଜାୟ ରଖି ପାରିବେ ସେ ବିଷୟରେ ଆମେ ଆପଣଙ୍କୁ ଏଠାରେ ଜଣାଇବୁ |

  1. ଶୀତ ଦିନେ ସର୍ଦ୍ଦିଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ଲେମ୍ବୁ, କମଳା,ମୂଳା,ଧନିଆପତ୍ର,ପାଳଙ୍ଗ ଶାଗ, ପୁଦିନା,ବନ୍ଧାକୋବି,ବ୍ରୋକଲି,ଗ୍ରୀନ ମଟର, ସାଲାଡ,ସଜ ଦହି ଆଦି ସାମିଲ କରନ୍ତୁ |
  2. ଗୋଲମରିଚ, ଲବଙ୍ଗ,ଅଦା,ମେଥି, ଡାଳଚିନି,ଅଳେଇଚ,ଜାଇଫଳ,ତେଜପତ୍ର,ହେଙ୍ଗୁ,ଜୁଆଣୀ ଆଦି ମସଲା ଓ ଗୁଆ ଘିଅ,ମହୁ ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ| ଏହା ଶରୀରକୁ ଭିତରୁ ଗରମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରାକୃତିକ ଭାବେ ବଢାଇ ଥାଏ|
  3. ରେଫ୍ରିଜେରଟରରେ ଥିବା ଫଳ,ପାଉଁରୁଟି ବା ଅନ୍ୟ କୌଣସି ଖାଦ୍ୟ ସଙ୍ଗେ ସଙ୍ଗେ ରେଫ୍ରିଜେରଟରରୁ ବାହାର କରି ଖାଆନ୍ତୁ ନାହିଁ |
  4. ତେଲ ମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ନଖାଇ ବିଶେଷ କରି ମିନେରାଲ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଖାଦ୍ୟ ଖାଆନ୍ତୁ |
  5. ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଯାହା ଶରୀରର ଶୁଷ୍କତା ଦୂର କରିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିବ| ଶୀତ ଦିନେ ପାଣିକୁ ସାମାନ୍ୟ ଉଷୁମ କରି ପିଇବା ଶରୀର ପ୍ରତି ଅଧିକ ଲାଭଦାୟକ |
  6. ସର୍ଦ୍ଦିଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ନିଦ୍ରା ଯିବା ପୂର୍ବରୁ ପାଦକୁ ଗରମ ପାଣିରେ(ଯେତିକି ଗରମ ଆପଣ ସହି ପାରିବେ)ଚାମଚେ ଲୁଣ ପକାଇ ପାଦକୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ବୁଡାନ୍ତୁ |ଏହି ଉପାୟ ପାଦ ଫାଟିବା ସମସ୍ୟା ମଧ୍ୟ ଦୂର କରି ପାରିବ |
  7. ସାମାନ୍ୟ ଉଷୁମ କ୍ଷୀର ପିଅନ୍ତୁ ଯାହା ସୁନିଦ୍ରା କରାଇବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିବ |
  8. ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ଲହୁଣୀ,ଲେମ୍ବୁ,ମୁଲତାନିମାଟି,ଗୋଲାପଜଳର ମିଶ୍ରଣ ପ୍ରସ୍ତୁତ କରି ମୁହଁ ଓ ବେକରେ  ସପ୍ତାହରେ ୩-୪ଥର ଲେପ ଦିଅନ୍ତୁ  |ଏହି ଲେପକୁ ଅତିକମରେ ଅଧ ଘଣ୍ଚା ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଧୁଅନ୍ତୁ|
  9. ଶରୀରରେ ଅଲିଭତେଲ,ଆଲମଣ୍ଡ ତେଲ,ନଡିଆତେଲ ବା ସୋରିଷ ତେଲ ମାଲିସ କରନ୍ତୁ | ଶରୀରରେ କୌଣସି ହର୍ବାଲ ବଡି ଲୋସନ ଏବଂ ପାଦ ଓ ଓଠରେ ନିୟମିତ ପେଟ୍ରୋଲିୟମ ଜେଲି ଲଗାନ୍ତୁ |
  10. ରୁପି ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୁଣ୍ଡରେ କର୍ପୁର ମିଶା ଉଷୁମ ନଡିଆ ତେଲ ଓ ଲେମ୍ବୁ ରସ ନିୟମିତ ବ୍ୟବହାର କରନ୍ତୁ |
  11. ଯଥା ସମ୍ଭବ ଶରୀରକୁ ଶୀତ ବସ୍ତ୍ର ଦ୍ବାରା ଆବୃତ କରି ରଖନ୍ତୁ|

Comments

comments