OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଗାମୀ ନୂଆ ବର୍ଷକୁ ସ୍ବତନ୍ତ୍ର କରିବା ପାଇଁ ଓଡିଶାର ଏହି ପର୍ଯ୍ୟଟନ ସ୍ଥଳୀ ନିଶ୍ଚୟ ଭ୍ରମଣ କରନ୍ତୁ

ଆମେ ଆଉ କିଛି ଦିନ ପରେ ୨୦୧୮ ମସିହାକୁ ବିଦାୟ ଦେଇ ଇଂରାଜୀ ନୂଆ ବର୍ଷ ୨୦୧୯ ମସିହାକୁ ସ୍ବାଗତ କରିବା | ଆପଣ ମାନେ ଜାଣନ୍ତି ଯେ ଆମୋଦ ପ୍ରମୋଦ ପ୍ରତ୍ୟେକ ମଣିଷର ଜୀବନକୁ ସରସ ସୁନ୍ଦର କରିଥାଏ | କ୍ଳାନ୍ତ ମନରେ ନୂଆ ଆଗ୍ରହ ଉଦ୍ଦୀପନା ଭରି ଦେବାରେ ସହାୟକ ହେବା ସହ ଜୀବନରେ ସମ୍ପର୍କକୁ ମଧୁରତର କରି ଅଭୁଲା ସ୍ମୃତିରେ ଭରି ଦେଇଥାଏ | ତେଣୁ ନୂଆବର୍ଷ ୨୦୧୯ ମସିହାର ଅବସରକୁ ସ୍ବାତନ୍ତ୍ର କରିବା ପାଇଁ ଆମ ସଭିଙ୍କ ମନରେ ଏବେ ଠାରୁ ଉସ୍ଛାହ ଭରିଗଲାଣି |ଆପଣମାନଙ୍କ ମଧ୍ୟରୁ ଅନେକ ଏଥିପାଇଁ ସାଙ୍ଗ ସାଥୀ, ପରିବାର, ପ୍ରିୟଜନଙ୍କ ସହ ମିଳି ମିଶି ଯୋଜନା ମଧ୍ୟ ପ୍ରସ୍ତୁତ କରୁଥିବେ ଯେ କିପରି ଆଗାମୀ ନୂଆ ବର୍ଷକୁ ଅଭୁଲନୀୟ କରିବେ | କେହି କେହି କ୍ଲବ ଯାଇ ନାଚ ଗୀତର ତାଳେ ତାଳେ ମସଗୁଲ ହେବାକୁ ଯୋଜନା କରୁଥିବେ ତ କେହି କେହି ବନ୍ଧୁ ପରିଜନଙ୍କ ସହ ଭୋଜି ବା ପାର୍ଟିର ଆୟୋଜନ କରିବାକୁ ହୁଏତ ମନରେ ସ୍ଥିର କରୁଥିବେ| ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କ ନୂଆ ବର୍ଷ ୨୦୧୯କୁ ମଧୁରତାରେ ଭରି ଦେବା ପାଇଁ ଆମ ଓଡିଶାର କେତୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି କରିବା ପାଇଁ ଉପଯୁକ୍ତ ସ୍ଥାନ ବିଷୟରେ ଆବଶ୍ୟକୀୟ ସୂଚାନା ଦେବାକୁ ଚାହିଁବୁ ଯାହା ଆପଣଙ୍କୁ ନିଜ ପସନ୍ଦ ଓ ସୁବିଧା ମୁତାବକ ପର୍ଯ୍ୟଟନ ସ୍ଥାନ ଚୟନ କରିବାରେ ନିଶ୍ଚୟ ସାହାଯ୍ୟ କରିବ| ସେଗୁଡିକ ହେଲା:-

ଡାର୍ଲିଙ୍ଗ: ଆମ ଓଡିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର | ଏଠାକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଶିଳ୍ପ ନଗରୀ ରାଉରକେଲା ଠାରୁ ପ୍ରାୟ ୫୧ କି.ମି ଦୂରରେ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ “ଡାର୍ଲିଙ୍ଗ” ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ | ଏହା ଠାରୁ ୨ କି.ମି. ଦୂରରେ ଅବସ୍ଥିତ ଅନ୍ୟ ଏକ ସୁନ୍ଦର ସ୍ଥାନ ହଉଛି ଦେଓଧର ଗଣ୍ଡ | ପିକନିକ ପାଇଁ ଏହା ଏକ ମନୋରମ ସ୍ଥାନ|

ସପ୍ତଶଯ୍ୟା : ଢେଙ୍କାନାଳ ସହର ଠାରୁ ମାତ୍ର ୧୧ କି.ମି. ଦୂରରେ ପାହାଡ ଉପରେ ଅବସ୍ଥିତ ସପ୍ତଶଯ୍ୟା ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ ଯାହାର ଶାନ୍ତ ସୁନ୍ଦର ପ୍ରାକୃତିକ ପରିବେଶ ବଣଭୋଜି ପାଇଁ ଏକ ଉପଯୁକ୍ତ ସ୍ଥାନ | ପାହାଡ ଶିଖରରେ ସପ୍ତଋଷି ମନ୍ଦିର ଏବଂ ରଘୁନାଥ ମନ୍ଦିର ଅବସ୍ଥିତ| ଢେଙ୍କକାନାଳ ଠାରୁ ୫ କି.ମି. ଦୂରରେ ସୁଉଚ୍ଚ କପିଳାଶ ପାହାଡ ଉପରେ ଅବସ୍ଥିତ ଶୈବ ପୀଠ ମଧ୍ୟ ବହୁ ପର୍ଯ୍ୟଟକଙ୍କୁ ବର୍ଷସାରା ଆକର୍ଷିତ କରିଥାଏ|

ଦେଉଳଝରି: ଅନୁଗୁଳ ଠାରୁ ୯୦ କି.ମି. ଦୂରରେ ଥିବା ଆଠମଲିକ ନିକଟସ୍ଥ ଦେଉଳଝରି ଉଷ୍ଣପ୍ରସ୍ରବଣ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯେଉଁ ଠାରେ ବଣଭୋଜିର ମଜା ନେବା ପାଇଁ ସବୁ ସୁବିଧା ରହିଛି | ଏଠାରେ ଥିବା ଶିବଲିଙ୍ଗର ନିମ୍ନ ଭାଗରୁ ଜଳ ବାହାରି ମନ୍ଦିର ନିକଟସ୍ଥ ୩୬ଟି କ୍ଷୁଦ୍ର ପୁଷ୍କରଣୀ ମଧ୍ୟକୁ ଯାଏ ଏବଂ ଏହି ଜଳରେ ଔଷଧୀୟ ଗୁଣ ରହିଥିବାର ବିଶ୍ବାସ କରାଯାଏ|

ବଡ ଘାଗରା ଓ ସାନ ଘାଗରା:କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ବଡଘାଗରା ଓ ସାନ ଘାଗରା ଜଳ ପ୍ରପାତ ବଣଭୋଜି ପାଇଁ ଖୁବ ବଢିଆ ସ୍ଥାନ |

ଗୋନାଶିକା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ତଥା ବଣଭୋଜି କରିବା ପାଇଁ ଉପଯୁକ୍ତ |

ଖଣ୍ଡାଧାର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଲା ଖଣ୍ଡାଧାର ଜଳ ପ୍ରପାତ ଯାହା କେନ୍ଦୁଝର ଠାରୁ ୬୦କି.ମି. ଦୂରରେ ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତରେ ଅବସ୍ଥିତ | ଏଠାରେ ୭୦୦ ପୁଟ ଉଚ୍ଚ ପାହାଡରୁ ନଦୀର ଜଳ ତଳକୁ ପଡୁଥାଏ ଯାହାର ରୋମାଞ୍ଚଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ | ଏଠାରେ ବଣଭୋଜିର ଆୟୋଜନ କରିବାକୁ ରହିଛି ପ୍ରଶସ୍ତ ସ୍ଥାନ |

ମିରିଙ୍ଗିଶିଙ୍ଗା: କେନ୍ଦୁଝର ଜିଲ୍ଲାର ବଡବିଲ ବ୍ଲକ ଅନ୍ତର୍ଗତ ଦାମପୁର ଗ୍ରାମର ବୈତରଣୀ ନଦୀ କୂଳରେ ଅବସ୍ଥିତ ମିରିଙ୍ଗିଶିଙ୍ଗାର ଝାଡେଶ୍ବର ଶୈବପୀଠ  ଏଠାକାର ଆଉ ଏକ ଆକର୍ଷଣ | ଏଠାକାର ସୁନ୍ଦର ପରିବେଶ ଓ ନଦୀ କୂଳର ବିଶାଳ ପ୍ରସ୍ତର ଖଣ୍ଡ ବଣଭୋଜି ପାଇଁ ବେଶ ଅନୁକୂଳ |

ଅଟ୍ରି: ଆମ ରାଜଧାନୀ ଭୁବନେଶ୍ବର ଠାରୁ ମାତ୍ର ୪୨ କି.ମି. ଦୂରରେ ରହିଛି ମହାପ୍ରଭୁ ହଟକେଶ୍ବରଙ୍କ ମନ୍ଦିର ଓ ସେଠାରେ ରହିଛି ଅ୍ରଟ୍ରି ଉଷ୍ଣପ୍ରସ୍ରବଣ ଯାହାର ଜଳର ତାପମାତ୍ରା ୫୫ ଡିଗ୍ରୀ ସେଲସିୟସରେ ସବୁବେଳେ ସ୍ଥିର ରହେ| ଏହି ଜଳ ଚର୍ମ ରୋଗ ଆରୋଗ୍ୟ କରିବାକୁ ସମର୍ଥ ବୋଲି ବିଶ୍ବାସ କରାଯାଏ| ଏହି ମନୋରମ ସ୍ଥାନଟିରେ ବଣଭୋଜିର ଆନନ୍ଦ ନେବାକୁ ଆପଣ ନିଶ୍ଚୟ ଚାହିଁବେ |

ମହାବିନାୟକ: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ଠାରୁ ୬ କି.ମି ଦୂରରେ ଥିବା ଘଞ୍ଚ ଜଙ୍ଗଲରେ ପରିପୂର୍ଣ ପାହାଡିଆ ଅଞ୍ଚଳରେ ମହାବିନାୟକ ମନ୍ଦିର ଅବସ୍ଥିତ ଯାହା ବଣଭୋଜି ପାଇଁ ଏକ ଭଲ ସ୍ଥାନ |  ଏଠାରେ ପାହାଡ ଉପରେ ବନଦୂର୍ଗା ପୂଜା ପାଉଛନ୍ତି | ଏହା ଠାରୁ ୩ କି.ମି. ଦୂରରେ ଚଣ୍ଡିମନ୍ଦିର ଅବସ୍ଥିତ|

ଭୀମକୁଣ୍ଡ: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ | ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତରେ ପ୍ରବାହିତ ବୈତରଣୀ ନଦୀ ଏଠାରେ ସଂକୀର୍ଣ ହୋଇ ଏହାର ଜଳ ଉପରୁ ତଳକୁ ପଡିବା ଦ୍ବାରା  ଏକ ସୁନ୍ଦର ଜଳପ୍ରପାତ ସଷ୍ଟି ହୋଇଛି | ବିଶାଳ ଘଞ୍ଚ ଶାଳ ବୃକ୍ଷରାଜିରେ ପରିବେଷ୍ଟିତ ଏହି ଜଳପ୍ରପାତ ଠାରେ ବଣଭୋଜିର ମଜା ନିଶ୍ଚୟ ନିଆରା |

ସୀତା କୁଣ୍ଡ: ମାଲକାନାଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ବଣ୍ଡାଘାଟୀ ପର୍ଯ୍ୟଟନ ସ୍ଥଳୀ ଅବସ୍ଥିତ ଯାହା ଆଦିବାସୀ ବଣ୍ଡା ଜନଜାତିର ପରମ୍ପରା, ଜୀବନଯାପନ ଶୈଳୀ, ବେଶପୋଷାକ, ଚଳଣି ଆଦି ବିଷୟରେ ଜାଣିବା ପାଇଁ ପର୍ଯ୍ୟଟକଙ୍କୁ ବେଶ ସାହାଯ୍ୟ କରିଥାଏ| ବଣ୍ଡାଘାଟୀର ପର୍ବତ ଶୀର୍ଷରେ ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡାଲଖାଇ ପୂଜା ପାଉଛନ୍ତି| ଏଠାକାର ଅନ୍ୟ ଏକ ଆକର୍ଷଣ ହେଲା; ବନ ପର୍ବତ,ଝରଣାରେ ପରିବେଷ୍ଟିତ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣିତ ସୀତାଘାଟୀ ଯେଉଁଠାରେ ସୀକାକୁଣ୍ଡ ନାମକ ଏକ କୁଣ୍ଡ ରହିଛି | ଲୋକ କଥା ଅନୁସାରେ ଏଠାରେ ରାମଚନ୍ଦ୍ର ୧୪ ବର୍ଷ ବନବାସ ସମୟ ମଧ୍ୟରୁ ଏକ ବର୍ଷ ଅତିବାହିତ କରିଥିଲେ ଓ ଉକ୍ତ କୁଣ୍ଡରେ ଦେବୀ ସୀତା ସ୍ନାନ କରୁଥିବାରୁ ତାହାର ନାମକରଣ ସୀତାକୁଣ୍ଡ କରାଯାଇଛି| ଏହା ସହ ସେଠାରେ ସୀତାଦେବୀଙ୍କ ପାଦ ଚିହ୍ନ ମଧ୍ୟ ରହିଛି| ସୀତାକୁଣ୍ଡରେ ବଣ୍ଡା ସମ୍ପ୍ରଦାୟର ଇଷ୍ଟ ଦେବତା ପାଟଖଣ୍ଡା ବିରାଜିତ | କୀମ୍ବଦନ୍ତୀ କହେ ଯେ ଏଠାରେ ପୂଜାପାଉଥିବା ଖଣ୍ଡାକୁ ପ୍ରଭୁ ରାମଚନ୍ଦ୍ର ବଣ୍ଡା ସମ୍ପ୍ରଦାୟର ସୁରକ୍ଷା ପାଇଁ ସେମାନଙ୍କୁ ପ୍ରଦାନ କରିଥିଲେ ଯାହାକୁ ବଣ୍ଡାମାନେ ପ୍ରତିବର୍ଷ ମାଘ ପୂର୍ଣିମାରେ ପୂଜା କରିଥା’ନ୍ତି|

ଅପରକୋଲାବ ଡ୍ୟାମ ଓ ଜଳଭଣ୍ଡାର: କୋରାପୁଟ ଜିଲ୍ଲାର ଅପରକୋଲାବ ଡ୍ୟାମ ଓ ଜଳଭଣ୍ଡାର ଓଡିଶାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ | ଏହି ଡ୍ୟାମର ନିମ୍ନ ଭାଗରେ ଥିବା ସୁନ୍ଦର ଉଦ୍ୟାନ ଓ ବିଜ୍ଞାନ ପାର୍କ ଏଠାକାର ଅନ୍ୟ ଏକ ଆକର୍ଷଣ ଯେଉଁଠାରେ ମୁଖ୍ୟତଃ ଯୁବବର୍ଗଙ୍କ ପାଇଁ ବହୁ ଶୀକ୍ଷଣୀୟ କଥା ରହିଛି |ଏହାର ପ୍ରାକୃତିକ ଶୋଭାରେ ଆକର୍ଷିତ ହୋଇ ଓଡିଶା ସମେତ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟର ବିଭିର୍ଣ ସ୍ଥାନରୁ ବର୍ଷସାରା ବହୁ ପର୍ଯ୍ୟଟକ ବଣଭୋଜି ପାଇଁ ଏଠାକୁ ଆସନ୍ତି |

ବଡଦେବତା ପୀଠ: କୋରାପୁଟ ଜିଲ୍ଲାର ଅନ୍ୟ ଏକ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ହେଉଛି ବଡଦେବତା ପୀଠ | ଏଠାକୁ ଯିବା ପାଇଁ  କୋରାପୁଟ ଠାରୁ ୫୦ କି.ମି ଦୂରରେ ଥିବା ନନ୍ଦପୁର ଯିବାକୁ ହୁଏ| ନନ୍ଦପୁରରୁ ୩୫କି.ମି ଦୂରରେ ଥିବା ପାଡୁଆ ଗ୍ରାମରେ ବଡଦେବତାଙ୍କ ପୀଠ ଅବସ୍ଥିତ|ଆଶା କରୁ ଆପଣଙ୍କୁ ପର୍ଯ୍ୟଟନ ଓ ବଣଭୋଜି ସମ୍ବନ୍ଧୀୟ ଆମର ଏହି ସୂଚନା ନିଶ୍ଚୟ ସାହାଯ୍ୟ କରିବ ନୂଆ ବର୍ଷ ୨୦୧୯କୁ ସ୍ବତନ୍ତ୍ର କରିବା ପାଇଁ | ଆଗକୁ ମଧ୍ୟ ଆପଣଙ୍କ ସୂଚନା ପାଇଁ ଆମେ ଏ ସମ୍ବନ୍ଧୀୟ ପୋଷ୍ଟ କରିବୁ |

Comments

comments