Odia Short Story

New Odia Short Story Pariraija

Download Odia Books Online

Hello Everyone,

Today we are publishing another odia short story. You can find other small stories in our Odia Short Story portal.you wil enjoy this story and will share with your friends and family.

Odia Short Story Pariraija (1)

ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା । ପ୍ରଭୁଙ୍କ ଦୟାରୁ କାଲି ଯେପରି ବର୍ଷା ନ ହେଉ । ନହିଲେ ଆମେ ବହୁତ ଅସୁବିଧାରେ ପଡିବା । ତୋର ସାଙ୍ଗ ସାଥୀମାନେ ଏଠାକୁ ଆସିବାକୁ ବହୁତ ହଇରାଣ ହେବେ । ବାପାଙ୍କ ସାଙ୍ଗସାଥୀମାନେ କିନ୍ତୁ ନିଶ୍ଚୟ ଆସିବେ । ହେଲେ, ଦୂରବନ୍ଧୁ ତ ମୋଟେ ଆସିପାରିବେ ନାହିଁ । ଏହା ଶୁଣି ସେ ସୋମୁ କହିଲା, ମୁଁ ଠାକୁରଙ୍କୁ ଜଣାଉଛି, ଯେମିତି କାଲି ଟୋପାଏ ବି ବର୍ଷା ନ ହେଉ । ତାପରେ ମାଆ ପୁଅ ଦୁହେଁ ଶୋଇବାକୁ ଗଲେ ।

ସୋମୁକୁ ଶୀଘ୍ର ନିଦ ଲାଗିଗଲା । ତେଣୁ ସେ ଘୁଙ୍ଗୁଡି ମାରିଲା । ତାପରେ ସେ ସୁନ୍ଦର ସ୍ୱପ୍ନଟିଏ ଦେଖିଲା । ତାର ଜନ୍ମଦିନ ହେଉଛି । ତା ଭୋଜିରେ ବିଭିନ୍ନ ପ୍ରକାର ସୁମିଷ୍ଟ ଜିନିଷ ପ୍ରସ୍ତୁତ ହୋଇଛି । ତା ସାଙ୍ଗମାନେ ବହୁତ ଉପହାର ଆଣି ତା’ ହାତକୁ ବଢାଉଛନ୍ତି । ତା ବାପାଙ୍କ ବନ୍ଧୁ ଓ ସାଙ୍ଗମାନେ ମଧ୍ୟ ବହୁ ମୂଲ୍ୟବାନ ସାର୍ଟପ୍ୟାଂଟ ଓ ବହୁ ଖେଳ ସାମଗ୍ରୀ ଇତ୍ୟାଦି ତାକୁ ଉପହାର ସ୍ୱରୂପ ଦେଉଛନ୍ତି । ସେ ସୋମୁ ନିଜେ ବି ବହୁତ ଖୁସି ହେଉଛି । ଠିକ୍ ଏତିକିବେଳେ ଅତି ସୁନ୍ଦର ପରୀରାଣୀ ଜଣେ ଆକାଶରୁ ଓହ୍ଲାଇ ଆସି ତା ପାଖରେ ଛିଡା ହୋଇଗଲେ । ତାପରେ ସେ ପରୀରାଣୀ ସୋମୁକୁ ହାତଠାରି କହିଲେ –

ସଭିଙ୍କୁ କହିଲୁ ଆସିବା ପାଇଁ

କୁନି ପିଲାଙ୍କୁ ମୁଁ ବହୁତ ଭଲପାଏ ବୋଲି ଆସିଲି ଧାଇଁ । ତହୁଁ ସେ ମୋମୁ ପଚାରିଲା –

ତୁମେ କିଏ କେଉଁଠାରୁ ଆସିଲ?

ବଡ ବଡ ପକ୍ଷ ରଙ୍ଗୀନ ଝାଲ,

ତୁମ ଶରୀରରୁ ଜ୍ୟୋତି ଉକୁଟେ

ମଥାଟି ସୁନ୍ଦର ସୁନା ମୁକୁଟେ

କେତେ ଗୋ ସୁନ୍ଦର ଦିଶୁଛ ତୁମେ

ଆସିଅଛ ତୁମେ ମରତ ଭୂମେ ।

ପରୀରାଣୀ କହିଲେ – ତୁମ ଜନ୍ମଦିନ ରାତି ପାହିଲେ

ପରୀରାଇଜରୁ ଆସିଲି ଭଲେ

ଆମ ରାଇଜଟି ବହୁ ଉଚ୍ଚରେ

ତିଆରି ସେ ହୀରା ନୀଳା ମୋତିରେ

ସୁନା ରୂପା ଫୁଲ ସେଠାରେ ଫୁଟେ

ମିଠା ମିଠା ଫଳ ଗଛ ଦି’ ପଟେ ।

ଆମେ ଆନନ୍ଦରେ ଉଡୁ ଆକାଶେ

ଯାହା ଚାହୁଁ କରୁ ମନ ହରଷେ ।

ଏସବୁ କଥା ଶୁଣି ସୋମୁର ମନ ଅତ୍ୟନ୍ତ ଖୁସି ହୋଇଗଲା । ପରୀରାଣୀ ତାର ହାତଧରି ଉଠାଇଦେଲେ । ପରୀରାଣୀଙ୍କ ହାତସ୍ପର୍ଶରେ ସେ ସୋମୁ ପିଠିର ଦୁଇପଟେ ପକ୍ଷ ଦୁଇଟି ହୋଇଗଲା । ପରୀରାଣୀଙ୍କ ପଛେ ପଛେ ସେ ମଧ୍ୟ ଉଡି ଉଡି ଉପରକୁ ଉଠୁଥିଲା । ସୋମୁକୁ ଏ ସ୍ୱପ୍ନଟି ସତ ପରି ଲାଗୁଥିଲା । କିଛି ସମୟ ପରେ ସେ ପରୀରାଇଜରେ ଯାଇ ପହଁଚିଗଲା । ସତକୁ ସତ ସୁନ୍ଦର ସୁନ୍ଦର ହୀରାଲୀଳା ମୋତି ମାଣିକ୍ୟର ଘର ଗୁଡିକ ସେଠାରେ ଯେପରି ଝଲସି ଉଠୁଥିଲା । ନାନା ଫୁଲ ଓ ଫଳରେ ସେଠିକା ରାସ୍ତାର ଦୁଇପଟ ଖୁବ୍ ରମଣୀୟ ମଧ୍ୟ ଦିଶୁଥିଲା । ଏଣେ ସେ ସୋମୁକୁ ଲାଗୁଥିଲା ସବୁଗୁଡିକ ବିଚିତ୍ର ବିଚିତ୍ର । ସେ ସୋମୁ ମିଠା ମିଠା ଫଳ ଗୁଡିକୁ ଛିଣ୍ଡାଇ ହାତରେ ଆଉଁଷୁଥିଲା । ପାଟିରେ ପୂରାଇବାକୁ ନିଅନ୍ତେ, ପରୀରାଣୀ ସେ ସୋମୁକୁ କହିଲେ ହାତ ଧୋଇ, ଫଳ ଧୋଇ ଖାଇବା ଉଚିତ୍ । ନହିଲେ ରୋଗ ହୋଇଯିବ । ଖାଇବା ପୂର୍ବରୁ ମୁହଁ ଧୋଇ କୁଳି କରିବା ଉଚିତ୍ । ତୁମେ ବଡ ଭୁଲ୍ କରୁଛ । ଏହା କହି ପାଣି ଆଉ ଇଠା ଫଳ ହାତ ଧୋଇବାକୁ ଦେଲେ । ତାପରେ ସେ ସୋମୁ ନିଜ ହାତମୁହଁ ଧୋଇ ଫଳ ଧୋଇ ଖାଇଥିଲା । କୁନି କୁନି ସୁନ୍ଦରିଆ ଝିଅମାନେ ପକ୍ଷ ମେଲି ସୋମୁ ଆଡକୁ ଧାଇଁ ଆସିଲେ । ସେମାନଙ୍କୁ ଦେଖି ସୋମୁ ଟିକିଏ ହସିଦେଇ କହିଲା –

”କୁଆଡ଼େ ଯାଉଛ କୁନି ଝିଅମାନେ

ଚୁନି ଚୁନି ଗୀତ ଶୁଭେ ମୋର କାନେ ।

ମିଠାମିଠା କଥା ଶୁଭଇ ମଧୁର

କୋଇଲିଠୁ ବଳି ତୁମ କଣ୍ଠ ସ୍ୱର ।

ସୋମୁକୁ ସେ କୁନି ଝିଅମାନେ କହିଲେ – ”ଆମେ ପରୀରାଇଜର ଝିଅ ସମୟକୁ ଚିହ୍ନି ସର୍ବଦା ସବୁ କାମ କରିଥାଉ, ଯାଉପଢି ବିଦ୍ୟାଳୟ ।

ପଢିବୁ, ଖେଳିବୁ, ନାଚିବୁ ଗାଈ

ଆମେ ପ୍ରତିଭାକୁ ଦେବୁ ବଢାଇ

ପରୀ ରାଇଜର ରଖିବୁ ନାଆଁ

ଗୌରବ ଆସିବ ଛାଆଁକୁ ଛାଆଁ

ସୋମୁ ଓଠରେ ହାତ ବୁଲାଇ ସେହି କୁନି ଝିଅମାନେ ନିଜ ନିଜ ପକ୍ଷ ହଲାଇ ବିଦ୍ୟାଳୟକୁ ଚାଲିଗଲେ ।

ହଠାତ୍ ସୋମୁ ସେସବୁ ଦେଖି ଚମକି ପଡିଲା । ସେହିକ୍ଷଣି ବି ହଠାତ୍ ତା’ର ଏତେ ବଡ ସୁନ୍ଦର ସ୍ୱପ୍ନିଳ ନିଦଟା ଭାଙ୍ଗିଗଲା । ତାପରେ ସେ ତା’ର ମାଆକୁ ଡାକିଦେଲା । ମାଆ ସମସ୍ତ ଘଟଣାଟା ସୋମୁଠାରୁ ଶୁଣି କେବଳ ହସି ହସି ଗଡିଗଲେ । ତାପରେ ମାଆ କହିଲେ ତୁ ତ ସବୁବେଳେ ଆକାଶର ବାଦଲ ଖଣ୍ଡ ଉପରକୁ ଚାହିଁ ଦେଖୁଥିଲୁ । ପରୀ ରାଣୀ ଉଡିଲା ପରି ଦେଖାଯାଉଛି ବୋଲି ତୁ କହୁଥିଲୁ । ପରୀରାଇଜଟା ଦେଖିବାକୁ କେଉଁ ପ୍ରକାର ବୋଲି ମଧ୍ୟ ତୁ ପଚାରୁଥିଲୁ । ତୋର ସେସବୁ ଜାଣିବା ପାଇଁ ବହୁ ଆଗ୍ରହ ଥିଲା । ଖାସ୍ ସେଇଥିପାଇଁ ତୁ ଏହି ସ୍ୱପ୍ନଟି ଦେଖିଲୁ । ଯାହା ଯାହା ଅଧିକ ସ୍ମୃତିପଟରେ ରହିଯାଏ, ବେଳେବେଳେ କେହି କେହି ସେହି କଥାକୁ ସ୍ୱପ୍ନରେ ହିଁ ଦେଖନ୍ତି । ପରୀରାଣୀଙ୍କଠାରୁ ତ ତୁ ବହୁତ କଥା ଶିଖିଲୁ । ଫଳ ନ ଧୋଇ, ହାତ ମୁହଁ ନ ଧୋଇ ତ ତୁ ଖାଇ ଦେଉଥିଲୁ । ଏବେ ଜାଣିଲୁ ତ କେଉଁ କେଉଁ ଅସୁବିଧା ହୁଏ ବୋଲି ।

ବିଦ୍ୟାଳୟକୁ ଠିକ୍ ସମୟରେ ଯିବା ଉଚିତ୍ । ଆଜିକାଲି ଶିକ୍ଷାରେ ଖାଲି ପାଠକୁ ସ୍ଥାନ ଦିଆଯିବା ସହ ପ୍ରତିଭାକୁ ମଧ୍ୟ ସ୍ଥାନ ଦିଆଯାଇଛି । ଖେଳ, ନାଚ, ଗୀତ, ଅଭିନୟ ମାଧ୍ୟମରେ ଶିକ୍ଷାଦାନ ବି ଅତ୍ୟନ୍ତ ସୁନ୍ଦର ହୋଇପାରୁଛି । ପରୀରାଇଜରେ ମଧ୍ୟ ପ୍ରତିଭାକୁ ଅଗ୍ରାଧିକାର ଦିଆଯାଇଛି ।

ସେତେବେଳେ ସୋମୁ ଅତି ଗେହ୍ଲେଇ ହୋଇ ତା ମାଆକୁ କହିଥିଲା – ଆମେ ତ ସେ ପରୀରାଇଜରେ ଯାଇ ରହିଲେ ଭାରି ଭଲ ହୁଅନ୍ତା । ସେଠି ଯାହା ଯାହା ମୁଁ ସ୍ୱପ୍ନରେ ଦେଖିଲି, ତାହା ତ ଏ ବିଶ୍ୱରେ ମୋଟେ ନାହିଁ । କେତେ ସୁନ୍ଦର ପରିବେଶ । କୁନି କୁନି ସୁନ୍ଦରିଆ ପରୀରାଣୀମାନେ ହଲି ହଲି ଯାଉଥାନ୍ତି । ତାଙ୍କ ପକ୍ଷଗୁଡିକ ସବୁ ହୀରା, ନୀଳା, ସୁନା, ରୂପାରେ ଛାଉଣି ହୋଇ ଖାଲି ଝିଲ୍ମିଲ୍ ଦେଖାଯାଉଛି । ସୋମୁ ତାର ମାଆକୁ କହିଲା, ମୁଁ ସେଠିକି ଯାଇ ରହିବି । ବହୁତ ଭଲ ରାଇଜଟିଏ ସେ ପରୀରାଇଜ । ଦୁଃଖ ସୁଖ ଏମିତି ସେଠି କିଛି ବି ନାହିଁ । ଅନ୍ଧାରର କାଳିମା ଲେଶମାତ୍ର ବି ସେଠାରେ ନାହିଁ । ତାହା ଆଲୋକ ମାଳାରେ ଚାରିଆଡେ ଖାଲି ରଙ୍ଗିଲା ରଙ୍ଗିଲା ଦେଖାଯାଉଛି ।

ତହୁଁ ମାଆ ସୋମୁକୁ ବୁଝାଇଦେଲେ, ଆମ ରାଜ୍ୟ ଆମକୁ ଚଳିବା ପାଇଁ ସବୁ ସୁବିଧା ଦେଇଥାଏ । ସ୍ପପ୍ନଟି ଦେଖି ତୁ ଏପରି ଆଶ୍ଚର୍ଯ୍ୟ ହୋଇଯାଉଛୁ । ସେ ହେଉଛି କଳ୍ପନା ରାଜ୍ୟ । ସ୍ୱପ୍ନରେ ଦେଖି ତୁ ଏକଦମ୍ ବିଭୋର ହୋଇଯାଇଛୁ । ତୁ ବଡ ହେଲେ, ବହୁତ ପାଠ ପଢି ବିଶ୍ୱକୁ ଛାଡି ମହାକାଶ ବିଷୟରେ ଧାରଣା ପାଇବୁ । ଆମ ବୈଜ୍ଞାନିକମାନେ କେଉଁ ଗ୍ରହରେ ପ୍ରାଣୀଜଗତ ଅଛି । ସେକଥା ଜାଣିବା ପାଇଁ ସେମାନେ ବହୁ ପରୀକ୍ଷା ନିରୀକ୍ଷା କରି ଜାଣୁଛନ୍ତି । କେଉଁଠି ପାଣି, ବାୟୁ ଇତ୍ୟାଦି ଅଛି, କେଉଁଠି ରହିହେବ, କେଉଁଠି ରହିହେବ ନାହିଁ । ଚନ୍ଦ୍ର ପୃଷ୍ଠରେ ମଧ୍ୟ ପ୍ରାଣୀଜଗତ ରହିହେବ । ଅମ୍ଳଜାନ ଓ ଜଳ ଇତ୍ୟାଦି ପୃଥିବୀ ପୃଷ୍ଠରୁ ନେଇ ମହାକାଶଚାରୀମାନେ ମାସ ମାସ ଧରି ସେଠାରେ ରହି ଗବେଷଣା ଚଳାଇଛନ୍ତି । ଏସମସ୍ତ କଥା ଶୁଣି ସୋମୁ ତା ମାଆକୁ କହିଥିଲା –

ମୁଁ ପାଠ ପଢିବି, ବେଜ୍ଞାନିକ ହେବି ଓ ସବୁ ଜାଣିବି, ମହାକାଶଚାରୀ ଯେବେ ମୁଁ ହେବି, ରକେଟ୍ ଯାନରେ ବସି ମୁଁ ଉଡିବି କେଉଁଠାରେ ସେ ପରୀ ରାଇଜ ଅଛି, ତାହା ମୁଁ ନିଶ୍ଚୟ ଦେଖି ଆସିବି ।

ସେତେବେଳକୁ ମାଆ ବି ସୋମୁର ଅନୁସନ୍ଧିତ୍ସୁ ମନୋଭାବ ଜାଣିପାରିଥିଲେ । ତେଣୁ ସେ ତାଙ୍କର ପୁଅର ମନକୁ ଖୁସି କରିବା ପାଇଁ ତାକୁ ଟିକେ କୋଳକୁ ନେଇ ଗୀତଟିଏ ବୋଲିଥିଲେ –

ରାତି ପାହିଗଲେ ଜନମ ଦିନ

ପରୀ ରାଣୀ ଗୀତ କରିବେ ଗାନ

ନିମନ୍ତ୍ରଣ ତାଙ୍କୁ ଯେ କରିଛି ମୁହିଁ

ଆସିବେ ସେ ଉପହାରଟେ ନେଇ

ଭଲ ପିଲା ସଙ୍ଗେ ମିଶନ୍ତି ପରୀ

କେଉଁ ପିଲା ନୁହେଁ ତୋ ସଙ୍ଗେ ସରି

ଜ୍ଞାନ ବିଜ୍ଞାନରେ ହୋଇବୁ ତୁ ବଡ

ପରୀ ରାଇଜରେ ଥାପିବୁ ତୁ ଗୋଡ ।

ଏସବୁ ଶୁଣି ସେ ସୋମୁ ହସି ହସି କହିଥିଲା – ମାଆ, ରାତି ପାହିଲାଣି, ସକାଳୁ ସକାଳୁ ଗାଧୋଇ ନୂଆ ଜାମାପ୍ୟାଂଟ ପିନ୍ଧିବି ପରା । ତାପରେ ମାଆ ଉଠିପଡିଲେ ଶେଯରୁ । ତାଙ୍କ ପଛେ ପଛେ ସୋମୁ ବି ଚାଲିଥିଲା ମୁହଁ ଧୋଇବା ପାଇଁ ।

Comments

comments

Leave a Reply

Your email address will not be published. Required fields are marked *

Back to top button
X