OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Maha Pandita

Hi Everyone,

How are you doing. You can find other small stories in our Odia Short Story portal.you wil enjoy this odia story and will share with your friends and family.

                                                                Odia Short Story Maha Pandita

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବାରମ୍ବାର ବର୍ଷା ବି ହେଉଥାଏ । ଗଛଲତାମାନେ ପ୍ରବଳ ଭାବରେ ଦୋହଲୁଥାନ୍ତି । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଲସି ଉଠୁଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ଯେତେବେଳେ ତାକୁ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ, ସେତେବେଳେ ଶବସ୍ଥିତ ବେତାଳ କହିଲା, ”ରାଜା, କିଏ ଯୋଗ୍ୟ କିଏ ଅଯୋଗ୍ୟ, କିଏ ଜ୍ଞାନୀ କିଏ ଅଜ୍ଞାନୀ, ସେକଥା ନିରୂପଣ କରିବା ଥରେ ଥରେ ଯୋଗ୍ୟମାନଙ୍କ ପକ୍ଷରେ ମଧ୍ୟ କାଠିକର ପାଠ ହୋଇଥାଏ । ତମେ ଜ୍ଞାନୀ ବୋଲି ଏଭଳି ପରିଶ୍ରମ କରୁଛ ନା ଅଜ୍ଞାନୀ ବୋଲି, ସେକଥା ତ ମୁଁ ଜାଣେନା । ତେବେ ତମକୁ ଜ୍ଞାନୀ ଅଜ୍ଞାନୀ ଉପରେ ମୁଁ ଗୋଟାଏ କାହାଣୀ କହୁଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

ବେତାଳ ଗପିଲା: କାନ୍ତିବର୍ମା ସୁକାନ୍ତି ନଗରୀରେ ରାଜୁତି କରୁଥିଲେ । ତାଙ୍କର ଦୁଇଟି ରାଣୀ ଥିଲେ । ବଡ ରାଣୀଙ୍କ ପୁଅ ବିଜୟବର୍ମା ତାଙ୍କ ଶିଶୁ କାଳରୁ ନିଜର ବୁଦ୍ଧି ତଥା ବିନୟ ବୋଧ ଦ୍ୱାରା ସମସ୍ତଙ୍କ ହୃଦୟ ଜୟ କରିଥାନ୍ତି । କିନ୍ତୁ ସାନ ରାଣୀଙ୍କ ଠାରୁ ଅତ୍ୟନ୍ତ ସ୍ନେହ ପାଇ ତାଙ୍କ ପୁଅ ଅଜୟ ମୋଟେ ପାଠପଢାରେ ମନ ଦେଉ ନଥାନ୍ତି । ସେ ଖାଲି ସବୁ କଥାକୁ ହେୟ ଜ୍ଞାନ କରୁଥାନ୍ତି ।

ଦିନେ ସାନ ରାଣୀ ରାଜାଙ୍କୁ ଏକାନ୍ତରେ ପଚାରିଲେ, ”ଅଜୟ ସମ୍ପର୍କରେ ଆପଣଙ୍କ ଧାରଣା କ’ଣ?” ରାଜା ଉତ୍ତର ଦେଲେ, ”ଆମ ଦୁର୍ଭାଗ୍ୟ ଯେ ଅଜୟ ବୁଦ୍ଧିହୀନ । ସଙ୍ଗେ ସଙ୍ଗେ ଆମର ସୌଭାଗ୍ୟ ଯେ ସେ ସାନ ପୁଅ । ସେ ଯଦି ବଡ ହୋଇଥାନ୍ତା, ଅର୍ଥାତ୍ ମୋ ପରେ ସେ ରାଜା ହୁଅନ୍ତା, ତେବେ ବିଷମ ଅବସ୍ଥା ଉପୁଜନ୍ତା ।”

ସାନ ରାଣୀ ଏକଥା ଶୁଣି ଅତ୍ୟନ୍ତ ବିଷର୍ଣ୍ଣ ହେଲେ ଓ କହିଲେ, ”ଆପଣଙ୍କ ବିଚାର ଠିକ୍ ବୋଲି ମୁଁ ଭାବୁ ନାହିଁ । ଅବଶ୍ୟ ଅଜୟକୁ ଅତ୍ୟନ୍ତ ଆଦରଯତ୍ନ କରିବା ଫଳରେ ସେ ଟିକିଏ ଅଖାଡୁଆ ହୋଇଯାଇଛି, କିନ୍ତୁ ଏବେ ମଧ୍ୟ ସମୟ ଅଛି । ତାକୁ ଜଣେ ଉପଯୁକ୍ତ ଗୁରୁ ମିଳିଲେ ସେ ନିଶ୍ଚୟ ବାଟକୁ ଆସିଯିବ । ତା’ ଭିତରେ ଯେପରି ପ୍ରାଣଶକ୍ତି ଅଛି, ସେଥିରେ ସେ ବିଜୟଠୁ ଅଧିକ ବୁଦ୍ଧିମାନ ହେବା ତ କିଛି ଅସମ୍ଭବ ନୁହେଁ ।”

ରାଜା ଗମ୍ଭୀର ଭାବରେ ଚିନ୍ତା କଲେ ଓ କହିଲେ, ”ବଣ ଓ ନଦୀ ମଝିରେ ଋଷି ଦିବ୍ୟାନନ୍ଦଙ୍କ ଗୁରୁକୁଳ ଆଶ୍ରମ ଥିବା କଥା ଜାଣ । ସେ ଜଣେ ଅତ୍ୟନ୍ତ ଦକ୍ଷ ଶିକ୍ଷକ । ନିହାତି ମାନ୍ଦା ବୁଦ୍ଧିଆ ମଧ୍ୟ ତାଙ୍କ ପାଖରେ ଅଧ୍ୟୟନ କରି ସୁଶିକ୍ଷିତ ହେବାର ମୁଁ ଜାଣେ ।”

ସାନ ରାଣୀ ବହୁତ ଉତ୍ସାହ ଦେଖାଇ କହିଲେ ”ତେବେ ଅଜୟକୁ ତାଙ୍କ ପାଖରେ ଛାଡି ଦିଆଯାଉ ।”

ରାଜା କହିଲେ, ”କିନ୍ତୁ ସେ ଗୁରୁକୁଳର ନିୟମ ଶୃଙ୍ଖଳା ଅତ୍ୟନ୍ତ କଡା । ସେଠି ସବୁ ଶିକ୍ଷାର୍ଥୀମାନଙ୍କୁ ସମାନ ଖାଦ୍ୟପେୟ ଦିଆଯାଏ । ସମସ୍ତେ ସାଧାରଣ ଭାବରେ ରହନ୍ତି । ସେଥିପାଇଁ ରାଜପୁତ୍ର ତ ଦୂରର କଥା, କୌଣସି ଧନୀ ବା ସମ୍ଭ୍ରାନ୍ତ ଘରର ପିଲାଏଁ ମଧ୍ୟ ସେଠାରେ ରହନ୍ତି ନାହିଁ ।”

ସାନ ରାଣୀ ଉତ୍କଣ୍ଠିତ ଭାବରେ ପଚାରିଲେ ”ତେବେ?”

”ଯଦି ସାନ ପୁଅକୁ ମଣିଷ କରିବା ପାଇଁ ଶେଷ ଚେଷ୍ଟା କରିବାକୁ ହେବ, ତେବେ ଅନ୍ୟ ପନ୍ଥା ନାହିଁ ।” ଏହା କହି ରାଜା ଖାଲି ଅଜୟକୁ ନୁହେଁ, ତାଙ୍କ ସହ ବିଜୟକୁ ମଧ୍ୟ ଋଷି ଦିବ୍ୟାନନ୍ଦଙ୍କ ଗୁରୁକୁଳରେ ଛାଡିଲେ ।

ଗୋଟିଏ ମାସ ବିତିଗଲା । ଦିନେ ଦୁଇ ରାଣୀଙ୍କ ସହ ସେ ରାଜା ଯାଇ ଅଚାନକ ଦିବ୍ୟାନନ୍ଦଙ୍କ ଆଶ୍ରମରେ ପହଁଚିଗଲେ । ସେତେବେଳେ ଅଜୟ ଆଶ୍ରମ ଆଗରେ ଥିଲେ । ସେ ଆନନ୍ଦରେ ଦୌଡି ଆସିଲେ ।

ରାଜା ପଚାରିଲେ ”କିପରି ଅଛ କୁମାର?”

ଅଜୟ ଉତ୍ତର ଦେଲେ ”ଖୁବ୍ ଭଲ । ଗୁରୁ ମହାଜ୍ଞାନୀ । ସେ ଗୁଣ ଚିହ୍ନନ୍ତି । ମୋତେ ଅନ୍ୟମାନଙ୍କଠାରୁ ଅଲଗା କରି ସେ ଶିକ୍ଷା ଦିଅନ୍ତି । ଅନ୍ୟମାନେ ବର୍ଷକରେ ଯାହା ପଢି ଶେଷ କରି ନ ପାରିବେ, ମୁଁ ପନ୍ଦର ଦିନରେ ତାହା ଶେଷ କରି ପାରିଛି ।”

ରାଜା ପ୍ରଶ୍ନ କଲେ ”ସତେ? ଏପରି କଥା?”

ଅଜୟ ଉତ୍ସାହରେ କହିଲେ ”ଆଉ କ’ଣ! ମୋ ବୁଦ୍ଧି ଦେଖି ଗୁରୁଙ୍କ ବିସ୍ମୟର କୌଣସି ସୀମା ଆଉ ରହିଲା ନାହିଁ । ଆଉ ଗୁରୁକୁଳର ଛାତ୍ରମାନେ ତ ଭଲରେ ବି ମୋ ସହ ବିଶେଷ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ ।”

ସାନ ରାଣୀ ପଚାରିଲେ ”ଆଶ୍ଚର୍ଯ୍ୟର କଥା ତ! କିନ୍ତୁ ଏଠାରେ ଖାଇବା ପିଇବା ବ୍ୟବସ୍ଥା ତ ସେତେ ଭଲ ନୁହେଁ । ତୁମକୁ କିପରି ଲାଗୁଛି?”

ଅଜୟ କହିଲେ ”ମୁଁ କ’ଣ ସାଧାରଣ ପିଲାଙ୍କ ଭଳି ଖିଆପିଆ କରେ? ଭାଇ କରନ୍ତି । ହେଲେ ମୋ ପାଇଁ ତ ଗୁରୁ ଭଲ ଖାଇବା ପିଇବା ବ୍ୟବସ୍ଥା କରି ଦେଇଛନ୍ତି ।”

ବଡ ରାଣୀ ନିର୍ଦେଶ ଦେଲେ ”ଆଚ୍ଛା, କ’ଣ ସବୁ ଶିକ୍ଷାଲାଭ କରିଛ, ଟିକିଏ ଆମକୁ କହିଲ ଦେଖି ।”

ଅଜୟ ଉତ୍ସାହ ସହକାରେ ଉପନିଷଦ ଓ ପୁରାଣରୁ କେତୋଟି ଗଳ୍ପ କହିଗଲେ । ପ୍ରତି ଗଳ୍ପରେ ବୋକାମାନଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରାଯାଇଛି ।

ଏହା ଭିତରେ ବଡ ରାଜକୁମାର ବିଜୟଙ୍କ ପାଖରେ ରାଜା ରାଣୀଙ୍କ ଆଗମନ ସମ୍ବାଦ ପହଁଚି ସାରିଥାଏ । ସେ ଆସି ପିତା ଓ ଦୁଇ ମାତାଙ୍କୁ ପ୍ରଣାମ କଲେ ଓ ଚୁପ୍ଚାପ୍ ଠିଆହୋଇ ରହିଲେ ।

ରାଜା ମନ୍ତବ୍ୟ ଦେଲେ ”ତମେ ଏଭଳି ବିମର୍ଷ କାହିଁକି ଦିଶୁଛ? ଏଠାକାର ଖାଦ୍ୟପେୟ ଓ ବ୍ୟବସ୍ଥା ନିଶ୍ଚୟ ଭଲ ଲାଗୁନାହିଁ!”

”ପିତୃଦେବ! ଖାଦ୍ୟପେୟ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ମୁଁ ଆଜିଯାଏଁ କେବେବି ଚିନ୍ତା ମଧ୍ୟ କରିନାହିଁ । ମୁଁ ଏଠାକୁ ଆସି ବୁଝୁଛି, ବିଦ୍ୟା, ଜ୍ଞାନ, ଏ ସବୁର ପରିସର କେଡେ ବ୍ୟାପକ । ତେଣୁ ମୁଁ ଏଠାରେ ଯେତେଦୂର ସମ୍ଭବ ମନଯୋଗ ଦେଇ ଅଧ୍ୟୟନ କରୁଛି । ଆପଣ ଏଠାକୁ ଆସିବା ପୂର୍ବରୁ ମୁଁ ଗୋଟିଏ ଶାସ୍ତ୍ରରେ ଏଭଳି ବୁଡି ରହିଥିଲି ଯେ ସେଥିପାଇଁ ମୁଁ ଟିକେ ଅନ୍ୟମନସ୍କ ଦିଶୁଥିବି ।” ଅଳ୍ପ ସମୟ ଭିତରେ ଗୁରୁ ଦିବ୍ୟାନନ୍ଦ ସେଠାରେ ଆସି ପହଁଚିଗଲେ । ରାଜା ତାଙ୍କ ଦୁଇ ରାଜପୁତ୍ରଙ୍କୁ ସେମାନଙ୍କ ଖେଳ ସମୟ ହୋଇଯାଇଥିବାରୁ ବିଦାୟ ଦେଲେ ଓ ଗୁରୁଙ୍କୁ ପଚାରିଲେ, ”କିପରି ଦେଖୁଛନ୍ତି?”

ବିଦ୍ୟାନନ୍ଦ କହିଲେ ”ମହାରାଜ! ରାଜକୁମାର ବିଜୟ ଯେପରି ମେଧାବୀ, ଠିକ୍ ସେହିପରି ସେ ବିବେକୀ ମଧ୍ୟ । ସେ ଯଦି ଏଠାରେ ଆଉ ଦୁଇବର୍ଷ କାଳ ରହି ବିଦ୍ୟାଭ୍ୟାସ କରିବେ, ତେବେ ତାଙ୍କର ତଥା ରାଜ୍ୟର ଅନେକ ମଙ୍ଗଳ ହେବ ।”

ସାନ ରାଣୀ ପଚାରିଲେ ”ଅଜୟ କଥା କ’ଣ?”

”ଅଜୟ ତ ମହାପଣ୍ଡିତ । ତାକୁ କୌଣସି ଗୁରୁ ଶିକ୍ଷାଦାନ ଦେବା ନିଷ୍ପ୍ରୟୋଜନ । ଭଲ ହେବ ଗଲାବେଳେ ଆପଣ ତାକୁ ନିଜ ସହ ନଅରକୁ ନେଇଯାଆନ୍ତୁ ।” ଏକଥା ଶୁଣି ସାନ ରାଣୀ ଅତି ଆନନ୍ଦରେ ଆତ୍ମହରା ହୋଇଗଲେ । ରାଜା କିନ୍ତୁ ଗମ୍ଭୀର ଦେଖାଗଲେ ଓ କହିଲେ, ”ଋଷିବର! ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ!” ଏହାପରେ ସେ ତାଙ୍କ ସାନ ପୁଅକୁ ଧରି ନଅରକୁ ବାହୁଡି ଆସିଲେ ।

ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ନିଜ କଣ୍ଠସ୍ୱର ତୀବ୍ର କରି ପ୍ରଶ୍ନ କଲା, ”ରାଜା! ମୋର ଗୋଟିଏ ଯୋଡିଏ ବିଷୟରେ କିଛି ସନ୍ଦେହ ରହିଛି । ରାଜା ଅଜୟ ସହ ବିଜୟକୁ ମଧ୍ୟ ଋଷିଙ୍କ ଆଶ୍ରମକୁ ପଠାଇବାର ସିଦ୍ଧାନ୍ତ କାହିଁକି ନେଲେ? ଅଜୟ ଯଦି ମହାପଣ୍ଡିତ, ତେବେ ଋଷି ତାକୁ ଏତେ ଶୀଘ୍ର ତାଙ୍କ ଆଶ୍ରମରୁ କାହିଁକି ବିଦାୟ ଦେଲେ? ଅଜୟ ଅତିଶୀଘ୍ର ବିଜୟଙ୍କୁ ପଛରେ ପକାଇ ବଡ ବିଦ୍ୱାନ ହୋଇଯିବେ, ଏହି ଭୟରେ? ଭାବି-ରାଜା ବିଜୟଙ୍କ ପ୍ରତି ଋଷି ଆଉ ପକ୍ଷପାତୀ ହୋଇ ନାହାଁନ୍ତି ତ? ରାଜା, ପାରିଲେ ମୋର ଏସବୁ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ଯଦି ତମେ ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ, ”ରାଜା କାନ୍ତିବର୍ମା ତାଙ୍କ ସାନ ପୁଅ ଅଜୟ ସହ ବିଜୟକୁ ପଠାଇବାର ମୁଖ୍ୟ କାରଣ ହେଲା, ଅଜୟ ଯେପରି ମନେ ନ କରିବ ଯେ ଅଯୋଗ୍ୟ ମନେ କରି ରାଜା ତାକୁ ଗୁରୁକୁଳକୁ ପଠାଇଦେଲେ! ଦେଖାଗଲା, ବିଜୟ ଗୁରୁକୁଳକୁ ଯାଇ ଖୁବ୍ ଲାଭବାନ୍ ହେଲେ । ଅଜୟଙ୍କୁ ଗୁରୁ ବିଦାୟ କରିଦେବାର ଅର୍ଥ ଅଜୟ ଏଡେ ବୁଦ୍ଧିହୀନ ଓ ଗର୍ବୀ ଯେ ତାଙ୍କୁ ଶିକ୍ଷା ଦେବା ଅସମ୍ଭବ । ଗୁରୁ ତାଙ୍କୁ କେତେ ମୂର୍ଖଙ୍କ କାହାଣୀ ଶୁଣାଇଥିଲେ – ସେ ଟିକିଏ ଚେତିବ ବୋଲି । କିନ୍ତୁ ସେ ନିଜକୁ ଏଡେ ପଣ୍ଡିତ ବୋଲି ମନେ କରୁଥିଲେ ଯେ ସେସବୁ କାହାଣୀରୁ କିଛି ଶିକ୍ଷା ଲାଭ କଲେ ନାହିଁ । ‘ମହା’ ବୋଲି ଯେଉଁ ବିଶେଷଣ, କ୍ଷେତ୍ର ବିଶେଷରେ ତାହା ବିଶେଷ ଅର୍ଥ ସୂଚାଇଥାଏ । ‘ମହାଯାତ୍ରା’ ବୋଇଲେ ଶେଷଯାତ୍ରା; ‘ମହାତୀର୍ଥ’ ବୋଇଲେ ଶ୍ମଶାନ, ‘ମହାନିଦ୍ରା’ ବୋଇଲେ ମୃତ୍ୟୁ । ଠିକ୍ ସେହିପରି କ୍ଷେତ୍ର ବିଶେଷରେ ‘ମହାପଣ୍ଡିତ’ ବୋଇଲେ ମୂର୍ଖ । ରାଜା ରାଣୀଙ୍କ ଆଗରେ ତାଙ୍କ ରାଜପୁତ୍ରଙ୍କୁ ମୂର୍ଖ ବୋଲି କହିବା ଅସୌଜନ୍ୟ ତଥା ନିହାତି ଅସଙ୍ଗତ ହେବ । ତେଣୁ ଗୁରୁ ସାଙ୍କେତିକ ଶବ୍ଦ ବ୍ୟବହାର କରି ସେ କଥାଟିର ମର୍ମ ବୁଝାଇ ଦେଲେ । ମାତୃସ୍ନେହର ଅନ୍ଧ ପ୍ରାବଲ୍ୟ ଯୋଗୁଁ ସାନ ରାଣୀ ସେ ସଙ୍କେତକୁ ମୋଟେ ବୁଝି ନପାରି ବେଶ୍ ଖୁସି ହୋଇଗଲେ । ମାତ୍ର ରାଜା ଠିକ୍ ବୁଝିଗଲେ ।

ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

Comments

comments