OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆପଣ ସମସ୍ତଙ୍କୁ ମହାଶିବରାତ୍ରିର ଅନେକ ଅନେକ ଶୁଭେଚ୍ଛା !

ଚଳିତ ବର୍ଷ(୨୦୧୯ ) ମାର୍ଚ୍ଚ ୪ ତାରିଖ ସୋମ ବାରରେ ମହାଶିବରାତ୍ରୀ ପଡୁଛି ଯାହା ବାସ୍ତବିକ ଏକ ମହାଯୋଗ | ସୋମବାର ଦିନ ଶିବରାତ୍ରି ପଡିଲେ ସେହି ଦିନକୁ ଅଦ୍ଭୁତ ସଂଯୋଗ ବୋଲି କୁହାଯାଏ | ଶିବଙ୍କ ବ୍ରତ ପୂଜା ଆଦି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି | ଶ୍ରଦ୍ଧା ଏବଂ ଭକ୍ତିର ସହ ଶିବଙ୍କ ପୂଜା କରିବା ଅଶ୍ୱମେଧ ଯଜ୍ଞ ସହ ସମାନ |
ଆଉ ଆପଣ ବି ଏକଥା ଜାଣିଥିବେ ଯେ, ଭାରତୀୟ ସଂସ୍କୃତିରେ ସବୁ ଦେବାଦେବୀଙ୍କ ପୂଜା ଦିବା ସମୟରେ ହୋଇଥାଏ। କିନ୍ତୁ କେବଳ ସଂହାରକର୍ତ୍ତା ଶିବଙ୍କ ପୂଜା ରାତ୍ରି ସମୟରେ ଉଜାଗର ରହି କରାଯାଇ ଥାଏ। ଏହା ପଛରେ ଅନେକ ପୌରାଣିକ ମତ ରହିଛି। ଶିବଙ୍କ ଚାରି ସ୍ୱରୂପର ପ୍ରତୀକ ଭାବରେ ଚାରି ପ୍ରହରର ପରିକଳ୍ପନା କରାଯାଇଛି। ଶିବରାତ୍ରିରେ ଏହି ଚାରି ପ୍ରହରରେ ଚାରି ପ୍ରକାରରେ ଶିବ ଆରଧନା କରିବାର ବିଧି ରହିଛି।
Maga Shivaratri 2019
Maga Shivaratri 2019
ପ୍ରଥମ ପ୍ରହରରେ ଶିବଙ୍କୁ ‘ଶବ’ ରୂପରେ ପୂଜା କରାଯାଏ। ଏହି ସମୟରେ ଶିବଲିଙ୍ଗଙ୍କୁ କ୍ଷୀରରେ ଅଭିଷେକ କରାଯାଏ। ଦ୍ୱିତୀୟ ପ୍ରହରରେ ଶିବଙ୍କ ‘ଅଘୋର’ ସ୍ୱରୂପ ଶିବଲିଙ୍ଗଙ୍କୁ ଦହିରେ ଅଭିଷେକ କରାଯାଏ। ତୃତୀୟ ପ୍ରହରରେ ଶିବଙ୍କ ‘ବାମଦେବ’ ସ୍ୱରୂପକୁ ଘିଅରେ ଅଭିଷେକ କରାଯାଏ। ଶେଷ ତଥା ଚତୁର୍ଥ ପ୍ରହରରେ ଶିବ ହେଉଛନ୍ତି ‘ ଧାତୁ ସ୍ୱରୂପ’।
ଏହି ରୂପରେ ଶିବଙ୍କୁ ମହୁରେ ଅଭିଷେକ କରାଯାଇ ନାରିକେଳ, କଦଳୀ ଭୋଗ ଅର୍ପଣ କରାଯାଏ।

Maha Shiva Ratri / Jaga Wishes Images

ଏବେ ଆସନ୍ତୁ ଜାଣିବା ଶିବଙ୍କର ଅଷ୍ଟମୂର୍ତ୍ତି ବିଷୟରେ |
ଶିବ ସ୍ୱରୂପ ଦ୍ୱାଦଶ ଜ୍ୟୋର୍ତଲିଙ୍ଗ ଭଳି ଶିବଙ୍କର ଅଷ୍ଟମୂର୍ତ୍ତି ମଧ୍ୟ ରହିଛି। ଏହି ଅଷ୍ଟମୂର୍ତ୍ତି ପ୍ରକୃତି ଓ ପୁରୁଷର ବିଭିନ୍ନ ସ୍ୱରୂପର ପ୍ରତୀକ। ସେଗୁଡିକ ହେଲା:-
୧- କ୍ଷିତି ମୂର୍ତ୍ତି (ଶବ ସ୍ୱରୂପ)
୨- ଜଳ ମୂର୍ତ୍ତି (ଭବ ସ୍ୱରୂପ)
୩- ଅଗ୍ନିମୂର୍ତ୍ତି (ରୁଦ୍ର ସ୍ୱରୂପ)
୪- ବାୟୁ ମୂର୍ତ୍ତି  (ଉଗ୍ର ସ୍ୱରୂପ)
୫- ଆକାଶ ମୂର୍ତ୍ତି (ଭୀମ ସ୍ୱରୂପ)
୬- ଯଜମାନ ମୂର୍ତ୍ତି (ପଶୁପତି ସ୍ୱରୂପ)
୭- ଚନ୍ଦ୍ରମୂର୍ତ୍ତି (ମହାଦେବ ସ୍ୱରୂପ)
୮- ସୂର୍ଯ୍ୟମୂର୍ତ୍ତି (ଈଶାନ ସ୍ୱରୂପ)
ବିଭିନ୍ନ ମନୋକାମନା ପୂରଣ ପାଇଁ ବିଭିନ୍ନ ଅଭିଷେକ ପାଇଁ ଶିବରାତ୍ରୀ ଏକ ସିଦ୍ଧିଦାୟକ ବ୍ରତ ଅଟେ। ମୁଖ୍ୟତଃ ଅନେକ ବ୍ୟକ୍ତି ନିଜ ଅଭିଷ୍ଟ ପୂରଣ ପୂରଣ ପାଇଁ ନିଷ୍ଠାର ସହ ଏହି ବ୍ରତ ପାଳିଥା’ନ୍ତି। ବିଧିପୂର୍ବକ ଶିବ ପୂଜନ ଓ ଅଭିଷେକ କରାଇ ମହାଦେବଙ୍କୁ ସନ୍ତୁଷ୍ଟ କରାଯାଏ।
ଶିବରାତ୍ରୀ ବ୍ରତ ପାଳନ ପୂର୍ବକ ବିଭିନ୍ନ ମନୋକାମନା ପୂର୍ତ୍ତି ପାଇଁ ବିଭିନ୍ନ ପୂଜା ବିଧିର ଉଲ୍ଲେଖ ମଧ୍ୟ ଶାସ୍ତ୍ରରେ ରହିଛି। ତାହେଲେ ମନୋକାମନା ପୂରଣ ପାଇଁ କିଭଳି ଭାବେ ଶିବପୂଜା ଓ ଅଭିଷେକ କରିବେ, ଆସନ୍ତୁ ଜାଣିବା :-
୧- ଜଳ ଦ୍ୱାରା ଶିବାଭିଷେକ କରିବା ଦ୍ୱାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।
୨- କୁଶ ଦ୍ୱାରା ଜଳାଭିଷେକ କରିବା ଦ୍ୱାରା ପାପନାଶ ଓ ବ୍ୟାଧି ଦୂର ହୋଇଥାଏ।
୩- ପଶୁଧନ ପ୍ରାପ୍ତ କରିବା ଓ ତାହାର ସୁରକ୍ଷା ପାଇଁ ଦହିରେ ଶିବଙ୍କୁ ଅଭିଷେକ କରନ୍ତୁ।
୪- ଧନ ପ୍ରାପ୍ତି ପାଇଁ ଆଖୁ ରସ କିମ୍ୱା ମହୁରେ ଶିବାଭିଷେକ କରନ୍ତୁ।
୫- ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ ରୋଗରୁ ମୁକ୍ତି ପାଇବା ପାଇଁ ଗୋ-ଘୃତରେ ଅଭିଷେକ କରନ୍ତୁ।
୬- ମୋକ୍ଷ ପ୍ରାପ୍ତି ପାଇଁ ବିଭିନ୍ନ ତୀର୍ଥଜଳ ଏକତ୍ର କରି ସେଥିରେ ଅଭିଷେକ କରନ୍ତୁ।
୭- ସନ୍ତାନ ପ୍ରାପ୍ତି ପାଇଁ ଦୁଗ୍ଧରେ ଅଭିଷେକ କରନ୍ତୁ।
୮- ଶତ୍ରୁନାଶ ପାଇଁ ସୋରିଷ ତେଲରେ ଶିବାଭିଷେକ କରନ୍ତୁ।
୯- ସନ୍ତାନମାନଙ୍କ ମନୋକାମନା ପୂରଣ ପାଇଁ ମିଠାଯୁକ୍ତ ଜଳରେ ଅଭିଷେକ କରନ୍ତୁ।
ଶିବରାତ୍ରି ଦିନ କରନ୍ତୁ ନାହିଁ ନିମ୍ନୋକ୍ତ କାର୍ଯ୍ୟ:-
ଶିବରାତ୍ରି ପବିତ୍ରତାର ପ୍ରତୀକ। ପବିତ୍ର ମନ ନେଇ ଶିବଙ୍କ ଆରାଧନା କଲେ ଅଭିଷ୍ଟ ପ୍ରାପ୍ତି ହୋଇଥାଏ। ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଶିବଭକ୍ତ ଅନେକ ଉପାୟ ଆପଣାଇ ଥା’ନ୍ତି।
କିନ୍ତୁ ଏଭଳି କିଛି କାର୍ଯ୍ୟ ରହିଛି, ଯାହାକୁ ଶିବରାତ୍ରି ଦିନ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହେବା ସହ ଶିବଙ୍କର କୋପଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ବାସ ରହିଛି। ତାହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ: –
୧- ଶିବରାତ୍ରି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧୁନ୍ତୁ ନାହିଁ। ପୌରାଣିକ କଥା ଅନୁଯାୟୀ କଳା ରଙ୍ଗ ଶିବଙ୍କୁ ପସନ୍ଦ ନୁହେଁ। ତେଣୁ କଳାରଙ୍ଗର ବସ୍ତ୍ର ପିନ୍ଧି ଶିବଙ୍କ ପୂଜାର୍ଚ୍ଚନା କରିବା ଉଚିତ୍‍ ନୁହେଁ।
୨- ଶିବାଭିଷେକ କରିବା ସମୟରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ। ଶଙ୍ଖରେ ଜଳାଭିଷେକ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ସମୁଦ୍ର ମନ୍ଥନ ସମୟରେ ସୃଷ୍ଟିକୁ ରକ୍ଷା କରିବା ପାଇଁ ହଳାହଳ ବିଷକୁ ଶିବ ଶଙ୍ଖରେ ପିଇ, ତାହାକୁ ଫୋପାଡ଼ି ଦେଇଥିଲେ। ତେଣୁ ଶିବ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ।
୩- ଶିବ ପୂଜାରେ ରାଶିର ପ୍ରୟୋଗ କରନ୍ତୁ ନାହିଁ। କାରଣ ବିଷ୍ଣୁଙ୍କ ଦେହର ମଳିରୁ ରାଶିର ଜନ୍ମ ହୋଇଛି ବୋଲି ବିଶ୍ୱାସ ରହିଛି। ତେଣୁ ରାଶିକୁ ଶିବ ପୂଜାରେ ବ୍ୟବହାର କରାଯାଏ ନାହିଁ।
୪- ଶିବପୂଜାରେ ଭାଙ୍ଗିଯାଇଥିବା ଚାଉଳ ବ୍ୟବହାର କରନ୍ତୁ ନାହିଁ। ଗୋଟାଥିବା ଚାଉଳ ଓ ଚାଉଳର ରଙ୍ଗ ସମ୍ପୂର୍ଣ୍ଣ ଧଳା ରହିବା ଉଚିତ୍‍।
୫- ହଳଦି ଓ କୁଙ୍କୁମ ସୌନ୍ଦର୍ଯ୍ୟ ଓ ଉତ୍ପତିର ପ୍ରତୀକ ହୋଇଥିବାରୁ ସଂହାର କର୍ତ୍ତା ଶିବଙ୍କ ପୂଜାରେ ଏହାର ପୟୋଗ ନିଷେଦ୍ଧ କରାଯାଇଛି। ତେଣୁ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଯାଇ ଥାଏ।
୬- ଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ବେଲପତ୍ର ତୋଳିଥିଲେ, ତାହା ଶିବପୂଜାରେ ବ୍ୟବହାର ହୋଇପାରିବ। କାରଣ ବେଲପତ୍ର କେବେ ମଧ୍ୟ ବାସି ବୋଲି ବିବେଚନା ହୁଏନାହିଁ। କିନ୍ତୁ ବାସି ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ।
୭- ଶିବ ଅଭିଷେକ କରିବା ପାଇଁ ପ୍ରଥମେ ଏକ ମାଟି ଘଡ଼ାରେ ପାଣି ଓ ତାହା ଉପରେ ବେଲପତ୍ର, ଅରଖ ଫୁଲ, ଅକ୍ଷତ ଆଦି ରଖି ଅଭିଷେକ କରନ୍ତୁ।
୮- ଯଦି ଘର ପାଖରେ ଶିବାଳୟ ନାହିଁ, ତାହେଲେ ଭଲ ମାଟି ଆଣି ଶିବଲିଙ୍ଗ ନିର୍ମାଣ କରି ବିଧି ପୂର୍ବକ ପୂଜା-ଆରାଧନା କରନ୍ତୁ।
୯- ଷ୍ଟିଲ୍‍ ପାତ୍ରରେ କେବେ ମଧ୍ୟ ଅଭିଷେକ କରନ୍ତୁ ନାହିଁ। ଏଥିରେ ଜଳ କିମ୍ୱା କ୍ଷୀର ବିଷ ପାଲଟି ଯାଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଶିବାଭିଷେକ ପାଇଁ ସର୍ବଦା ପିତ୍ତଳ, କଂସା କିମ୍ୱା ଅଷ୍ଟଧାତୁରେ ନିର୍ମିତ ପାତ୍ର ବ୍ୟବହାର କରନ୍ତୁ।
୧୦- ଯେତେ ଦୂର ସମ୍ଭବ ଧଳା କିମ୍ୱା ହଳଦିଆ ଫୁଲରେ ଶିବ ପୂଜା କରନ୍ତୁ। କିନ୍ତୁ ଲାଲ୍‍ ଫୁଲ ବର୍ଜନୀୟ।
ଆପଣ ସମସ୍ତଙ୍କୁ ମହାଶିବରାତ୍ରିର ଅନେକ ଅନେକ ଶୁଭେଚ୍ଛା |ମହାଦେବଙ୍କ ଆଶିଷରୁ ଆପଣଙ୍କ ଜୀବନ ସୁଖମୟ ହେଉ ! ଓମ୍ ନମଃ ଶିବାୟଃ !

Comments

comments